ଭୁବନେଶ୍ବର: ପୁଣି ଉଠିଛି ଛଟେଇ ହୋଇଥିବା ୪ ହଜାର କମ୍ପ୍ୟୁଟର ଶିକ୍ଷକଙ୍କୁ ପୁନଃ ନିଯୁକ୍ତି ଦାବି (ICT association demand)। ଏହାକୁ ନେଇ ଆଇସିଟି ବିଦ୍ୟାଳୟ ସଂଯୋଜକ ସଂଘ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଛି । କମ୍ପ୍ୟୁଟର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଛଟେଇ ଫଳରେ ହାଇସ୍କୁଲ ଛାତ୍ରଛାତ୍ରୀ କମ୍ପ୍ୟୁଟର ଶିକ୍ଷା ତଥା ଅନଲାଇନ ଶିକ୍ଷାରୁ ସମ୍ପୂର୍ଣ୍ଣ ଭାବରେ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି ।
ସରକାର 4 ହଜାର ଉଚ୍ଚ ଶିକ୍ଷିତ ଯୁବକଯୁବତୀ ନିଯୁକ୍ତିରୁ ବଞ୍ଚିତ କରାଇ ବେରୋଜଗାର କରାଇଛନ୍ତି । ସ୍କୁଲ୍ମାନଙ୍କରେ କମ୍ପ୍ୟୁଟର ପାଠପଢା ସମ୍ପୂର୍ଣ୍ଣ ବନ୍ଦ ରହିଛି । କୋଭିଡ ପରେ ସରକାର ଶିକ୍ଷାର ବିକାଶ ପାଇଁ ପ୍ରତ୍ୟେକ ବିଦ୍ୟାଳୟରେ 5T ଉପକ୍ରମରେ ସ୍କୁଲ୍ଗୁଡ଼ିକ ରୂପାନ୍ତରିକରଣ କରିବା ସହ କୋଟି କୋଟି ଟଙ୍କାର କମ୍ପ୍ୟୁଟର ଲ୍ୟାବ୍ ତିଆରି କରୁଛନ୍ତି । ତେବେ କମ୍ପ୍ୟୁଟର ଶିକ୍ଷା ଦେବାକୁ ଶିକ୍ଷକଙ୍କୁ ଅବହେଳା କରାଯାଉଥିବା ଅଭିଯୋଗ ହୋଇଛି ।
ବିଦ୍ୟାଳୟଗୁଡିକ ଖାଲି ଦେଖିବାକୁ ସୁନ୍ଦର, ହେଲେ କମ୍ପ୍ୟୁଟର ଶିକ୍ଷକଙ୍କ ବିନା କମ୍ପ୍ୟୁଟର ଶିକ୍ଷାର କୌଣସି ପ୍ରକାରର ଉନ୍ନତି ହେଇପାରୁନାହି । ବର୍ତ୍ତମାନ ଶିକ୍ଷା ବ୍ୟବସ୍ଥା ଅନୁଯାୟୀ ଓଡ଼ିଶାର ସମସ୍ତ ବିଦ୍ୟାଳୟରେ କମ୍ପ୍ୟୁଟର ଶିକ୍ଷକଙ୍କ ଆବଶ୍ୟକତା ରହିଛି । ଛାତ୍ରଛାତ୍ରୀଙ୍କ ପାଠପଢା ଠାରୁ ଆରମ୍ଭ କରି ଉତ୍ତୀର୍ଣ୍ଣ ପର୍ଯ୍ୟନ୍ତ ସବୁଥିରେ କମ୍ପ୍ୟୁଟର ଶିକ୍ଷା ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି ।
ଏହା ମଧ୍ୟ ପଢନ୍ତୁ: ପାଠପଢାକୁ ନେଇ ଯୁକ୍ତିତର୍କ, ସାନଭାଇକୁ ହତ୍ୟା କଲା ବଡ଼ ଭାଇ
ଦୁଇ ବର୍ଷ ଧରି ପୁନଃ ନିଯୁକ୍ତି ପାଇଁ ଆଇସିଟି ବିଦ୍ୟାଳୟ ସଂଯୋଜକ ସଂଘ ନିରନ୍ତର ଭାବରେ ବିଭାଗୀୟ ଅଧିକାରୀମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ସରକାର ଏ ଦାବି ପ୍ରତି କର୍ଣ୍ଣପାତ କରିନଥିବା ଅଭିଯୋଗ ହୋଇଛି ।
ଏହାକୁ ନେଇ ଆଇସିଟି ବିଦ୍ୟାଳୟ ସଂଯୋଜକ ସଂଘ ସଭାପତି ଦୀପିକା ମଞ୍ଜରି ମିଶ୍ର କହିଛନ୍ତି, "2014 ମସିହାରେ ନିଯୁକ୍ତି ସମୟରେ ଦିଆଯାଇଥିବା ଶିକ୍ଷାଗତ ଯୋଗ୍ୟତା, ବୟସ ସୀମା ORV ନିୟମକୁ ବଳବତ୍ତର ରଖାଯାଉ । କୌଣସି ପରୀକ୍ଷା ପଦ୍ଧତି ନରଖି ସରକାର କମ୍ପ୍ୟୁଟର ଶିକ୍ଷକ ପଦବୀ ରେ 4000 ଛଟେଇ କମ୍ପ୍ୟୁଟର ଶିକ୍ଷକଙ୍କୁ ପ୍ରଥମ ଅଗ୍ରାଧିକାର ଭିତ୍ତିରେ ପୁନଃ ନିଯୁକ୍ତି ବ୍ୟବସ୍ଥା କରନ୍ତୁ । ପୁନଃ ନିଯୁକ୍ତିକୁ କୌଣସି ବେସରକାରୀ ସଂସ୍ଥାକୁ ଟେକି ନଦେଇ ସରକାରୀ ସ୍ତରରେ ନିଯୁକ୍ତି ଦିଆଯାଉ । ପ୍ରତି ହାଇସ୍କୁଲରେ କମ୍ପ୍ୟୁଟର ଶିକ୍ଷାକୁ ବାଧ୍ୟତାମୂଳକ କରାଯାଉ ।"
ଇଟିଭି ଭାରତ, ଭୁବନେଶ୍ବର