ଭୁବନେଶ୍ବର: ପ୍ରଥମେ ପ୍ରେମ ତା ପରେ ପାପ । ପ୍ରଥମେ ବିବାହ କରିଥିବା ସ୍ବାମୀ ସାଜିଲା ସ୍ତ୍ରୀର କାଳ । ବିବାହ ପରେ ପର ପୁରୁଷ ସହ ସମ୍ପର୍କ ରଖିବାକୁ କରୁଥିଲା ବାଧ୍ୟ । ମନା କରିବାରୁ ଘର ଭିତରେ ବନ୍ଦି କରି ଦେଉଥିଲା ଅକଥନିୟ ନିର୍ଯାତନା । କେତେବଳେ ମାଡ ତ କେତେବଳେ ଚେଙ୍କ । ଏମିତି ଏକ ଲୋମହର୍ଷଣକାରୀ ନିର୍ଯାତନାର ଶିକାର ହୋଇଥିବା ମହିଳା ଜଣଙ୍କ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଛନ୍ତି ।
ଏନେଇ ସ୍ବାମୀ ବିରୋଧରେ ଥାନାରେ ଦେଇଛନ୍ତି ଏତଲା । ଅଭିଯୋଗ ଅନୁସାରେ ଦୀର୍ଘ ୭ ବର୍ଷ ହେବ ନିଜ ସ୍ତ୍ରୀକୁ ଏକ କୋଠରୀରେ ବନ୍ଦ ରଖି ଦେହ ବ୍ୟବସାୟରେ ଲଗାଉଥିଲା ସ୍ବାମୀ । ସ୍ତ୍ରୀ ଏହା କରିବାକୁ ରାଜି ନହେବାରୁ ତାଙ୍କୁ ଲୁହାରଡରେ କରୁଥିଲା ମରଣାନ୍ତକ ଆକ୍ରମଣ । ଜୀବନରୁ ମାରିଦେବାକୁ ଉଦ୍ୟମ ବି କରିଛି ସ୍ଵାମୀ । ଫୁଲବାଣୀ ତୁମୁଡ଼ିବନ୍ଧ ଅଞ୍ଚଳର ମହିଳା ଜଣକ ୧୦ ବର୍ଷ ପୂର୍ବେ ଚନ୍ଦ୍ରଶେଖରପୁର ଅଞ୍ଚଳକୁ କାମ କରିବା ପାଇଁ ଆସିଥିଲେ ।
ସେହି ସମୟରେ ପଦ୍ମାବତି ବିହାରର ଅଟୋ ଚାଳକ ଚନ୍ଦନ ଆଚାର୍ଯ୍ୟଙ୍କ ସହ ଦେଖା ହୋଇଥିଲା । ଚନ୍ଦନ ସମ୍ପୃକ୍ତ ମହିଳାକୁ ନିଜ ପ୍ରେମ ଜାଲରେ ଫସାଇ ବାହା ହୋଇଥିଲା । ପ୍ରଥମେ ୨ ବର୍ଷ ସେମାନଙ୍କ ସଂସାର ଠିକରେ ଚାଲିଥିଲା । ପରେ ଚନ୍ଦନ ଜବରଦସ୍ତି ନିଜ ସ୍ତ୍ରୀଙ୍କୁ ଦେହ ବ୍ୟବସାୟରେ ଲଗାଇବାକୁ ବାଧ୍ୟ କରାଇଥିଲା । ଏପରିକି ତାଙ୍କୁ ଦୀର୍ଘ ୭ ବର୍ଷ ହେବ ଗୋଟିଏ ଘରେ ରଖି ସେକ୍ସ ରାକେଟ୍ ଚଳାଉଥିବାର ପୀଡ଼ିତା ପୋଲିସ ଆଗରେ ଅଭିଯୋଗ କରିଛନ୍ତି । ଏନେଇ ସ୍ବାମୀ ଚନ୍ଦନକୁ ଅଟକ ରଖି ଅଧିକ ପଚରାଉଚରା କରୁଛି ପୋଲିସ । ଖୁବଶୀଘ୍ର ତାକୁ ଗିରଫ କରି କୋର୍ଟ ଚାଲାଣ କରିପାରେ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।
ଭୁବନେଶ୍ବରରୁ ତାପସ ପରି଼ଡା, ଇଟିଭି ଭାରତ