ଭୁବନେଶ୍ବର: ରାଜ୍ୟସ୍ତରୀୟ ବର୍ଜ୍ୟବସ୍ତୁ ପରିଚାଳନା କମିଟିର ସମୀକ୍ଷା ବୈଠକ ଏବଂ କ୍ଷେତ୍ର ପରିଦର୍ଶନ। ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରେ କଠିନ ବର୍ଜ୍ୟବସ୍ତୁ ପରିଚାଳନା ଦିଗରେ ରାଜ୍ୟସ୍ତରୀୟ କମିଟିର ଅନୁଧ୍ୟାନ। ମଙ୍ଗଳବାର ରାଜ୍ୟସ୍ତରୀୟ କଠିନ ବର୍ଜ୍ୟବସ୍ତୁ ପରିଚାଳନା ନେଇ ଜଷ୍ଟିସ ପି.କେ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ବିଏମସିରେ ଅନୁଷ୍ଠିତ ହୋଇଯାଇଛି ।
ସମୀକ୍ଷା ବୈଠକରେ ଜଙ୍ଗଲ ଓ ପରିବେଶ ବିଭାଗର ପ୍ରମୁଖ ଶାସନ ସଚିବ ମୋନା ଶର୍ମା, ଗୃହ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଜି ମାଥିଭାଥେନନ, ପଞ୍ଚାୟତିରାଜ ସଚିବ, ସ୍ବାସ୍ଥ୍ୟ ସଚିବ ତଥା କମିଶନର ପ୍ରମୋଦ କୁମାର ମେହେର୍ଦ୍ଦା , ବିଏମସି ପ୍ରଶାସକ ସଂଗ୍ରାମଜିତ ନାୟକ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ର ମେମ୍ବର ସେକ୍ରେଟାରୀ ଦେବୀଦତ୍ତ ବିଶ୍ଵାଳ, ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ, କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ, ବିଏମସିର ଅନ୍ୟାନ୍ୟ ପଦାଧିକାରୀ ଉପସ୍ଥିତ ଥିଲେ ।
ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ ନିର୍ଦ୍ଦେଶରେ ରାଜ୍ୟ ସରକାରଙ୍କ ଗଠିତ ରାଜ୍ୟସ୍ତରୀୟ ବର୍ଜ୍ୟବସ୍ତୁ ପରିଚାଳନା କମିଟି ଏହି ତଦାରଖ କରିଥିଲେ। ଏହି ବୈଠକରେ ଜଙ୍ଗଲ ଓ ପରିବେଶ, ଗ୍ରାମ୍ୟ ଉନ୍ନୟନ ବିଭାଗ, ସ୍ବାସ୍ଥ୍ୟ ବିଭାଗ, ରାଜ୍ୟ ପ୍ରଦୂଷଣ ବୋର୍ଡର ସଦସ୍ୟ ଉପସ୍ଥିତ ରହିଥିଲେ।

ସମୀକ୍ଷା ବୈଠକରେ ବିଏମସି ପକ୍ଷରୁ ପ୍ରତି ୱାର୍ଡରେ ନିର୍ମାଣ ହେଉଥିବା ମାଇକ୍ରୋ କମ୍ପୋଷ୍ଟିଂ କେନ୍ଦ୍ର, ବସ୍ତୁର ପୁନଃବ୍ୟବହାର କେନ୍ଦ୍ର, 'ମୁଁ ସଫେଇବାଲା କ୍ୟାମ୍ପେନ'ର ପ୍ରଚାର ପ୍ରସାର ଏବଂ ସର୍ବୋପରି ଭୁବନେଶ୍ବରରେ କଠିନ ବର୍ଜ୍ୟବସ୍ତୁ ପରିଚାଳନା ଦିଗରେ ବିଏମସି ପକ୍ଷରୁ ନିଆଯାଇଥିବା ପଦକ୍ଷେପ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ ।
ବିଏମସିରେ ସମୀକ୍ଷା ବୈଠକ ପରେ ରାଜ୍ୟସ୍ତରୀୟ ଟିମ ରାଜଧାନୀର ବିଭିନ୍ନ ସ୍ଥାନରେ କ୍ଷେତ୍ର ପରିଦର୍ଶନ କରିଛନ୍ତି । ପ୍ରଥମେ ବାପୁଜୀନଗର ସ୍ଥିତ 'ଇ-ଟଏଲେଟ'ର ବ୍ୟବସ୍ଥା, କ୍ୟାପିଟାଲ ହସ୍ପିଟାଲ ଯାଇ ସେଠାରେ ହସ୍ପିଟାଲରୁ ବାହାରୁଥିବା ଜୈବ ଚିକିତ୍ସା ବର୍ଜ୍ୟବସ୍ତୁ ପରିଚାଳନାର ବାସ୍ତବ ସ୍ଥିତି, କଳ୍ପନା ଛକରେ ଅଣ୍ଡରଗ୍ରାଉଣ୍ଡ ଡଷ୍ଟବିନରେ ଓଦା ଅଳିଆ ଆବର୍ଜନା ପରିଚାଳନା ନେଇ ବାସ୍ତବ ଚିତ୍ର ପରଖିଥିଲେ । ପରେ ବାସୁଆଘାଇ ଯାଏ ସେଠାରେ ମଳ ପରିଚାଳନା ପ୍ଲାଣ୍ଟର ସ୍ଥିତି ଅନୁଧ୍ୟାନ କରିଥିଲେ ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ