ଭୁବନେଶ୍ବର: ରାଜ୍ୟରେ ବିଭିନ୍ନ ନଦୀର ଜଳସ୍ତର କମିବାରେ ଲାଗିଛି । ତୀବ୍ର ଅବପାତ ପ୍ରଭାବରେ ଉତ୍ତର ଓଡ଼ିଆରେ ଅତି ପ୍ରବଳ ବର୍ଷା ହୋଇଥିଲେ ମଧ୍ୟ ବନ୍ୟା ଆଶଙ୍କା ନାହିଁ । ତେବେ କାନ୍ଥ ପଡି ୪ ଜଣଙ୍କର ମୃତ୍ୟୁ ହୋଇଥିବା କହିଛନ୍ତି ଏସଆରସି (SRC) ପ୍ରଦୀପ କୁମାର ଜେନା ।
SRC କହିଛନ୍ତି, "ଅବପାତ ପ୍ରଭାବରେ ମୟୂରଭଞ୍ଜ ଓ ବାଲେଶ୍ଵରରେ ପ୍ରବଳ ବର୍ଷା ହୋଇଛି । ଝାଡ଼ଖଣ୍ଡରେ ବି ପ୍ରବଳ ବର୍ଷା ହୋଇଛି । ଯାହାଦ୍ବାରା ଝାଡ଼ଖଣ୍ଡ ଗାଲୁଡ଼ି ବ୍ୟାରେଜରେ ୭ଟି ଗେଟ ଖୋଲିଛି । ସେଠାରୁ ୧ଲକ୍ଷ ୫ ହଜାର କ୍ୟୁସେକ ପାଣି ଆସୁଛି । ଯାହାଦ୍ବାରା ସୁବର୍ଣ୍ଣରେଖାରେ ଜଳସ୍ତର ବଢ଼ିବ । ମାତ୍ର ବନ୍ୟା ସମ୍ଭାବନା କମ । ସେହିପରି ବୁଢ଼ାବଳଙ୍ଗରେ ବିଶେଷ ବନ୍ୟା ସ୍ଥିତି ନାହିଁ । କିନ୍ତୁ ଆମେ ଉଭୟ ନଦୀ ଉପରେ ତୀକ୍ଷ୍ଣ ନଜର ରଖିଛୁ । ବୈତରଣୀରେ ସେପରି ସମସ୍ୟା ନାହିଁ । ଲଗାଣ ବର୍ଷା ପ୍ରଭାବରେ କାନ୍ଥ ପଡି ୩ଜିଲ୍ଲାରେ ୪ ଜଣଙ୍କର ମୃତ୍ୟୁ ହୋଇଛି । ବାଲେଶ୍ଵର ୧, ମୟୂରଭଞ୍ଜ ୨ ଓ କେନ୍ଦୁଝର ଜଣଙ୍କର ମୃତ୍ୟୁ ହୋଇଛି ।"
ଏହା ବି ପଢନ୍ତୁ- ରାଜ୍ୟରେ ପ୍ରବଳ ବର୍ଷା, ୧୧ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
ସେ ଆହୁରି ମଧ୍ୟ କହିଛନ୍ତି, "ହୀରାକୁଦର ତଳମୁଣ୍ଡ ଅର୍ଥାତ ମହାନଦୀର ତଳମୁଣ୍ଡରେ ପ୍ରବଳ ବର୍ଷା ଦେଖିବାକୁ ମିଳିଛି । ରାଜ୍ୟରେ ସବୁଠୁ ଅଧିକ ବୃଷ୍ଟିପାତ କନ୍ଧମାଳ, ବୌଦ୍ଧ ଓ କଳାହାଣ୍ଡି ଜିଲ୍ଲାରେ ହୋଇଛି । ଯାହା ପ୍ରଭାବରେ ତେଲ ନଦୀରେ ବି ଅଧିକ ପାଣି ଆସିବାର ସମ୍ଭାବନା ରହିଛି । ଖଇରମାଳ ତଳେ ଥିବା ଅନ୍ୟାନ୍ୟ ନଦୀ ଗୁଡ଼ିକରେ ବି ପାଣି ଆସିବ । ଯାହାଦ୍ବାରା ମୁଣ୍ଡଳୀରେ ୭.୫୦ ହଜାର କ୍ୟୁସେକ ପାଣି ପାସ କରିବ । ଏହା ୩୬ ଘଣ୍ଟା ପର୍ଯ୍ୟନ୍ତ ଲାଗି ରହିବ । ପାଣି ଯେତିକି ଆସୁଛି ତାହା ନଦୀ ଭିତରେ ହିଁ ରହିବ ବାହାରକୁ ଆସିବନି ।"
ବନ୍ୟା ପ୍ରଭାବିତ ଅଞ୍ଚଳରେ ପାଣି ଛାଡିବା ଆରମ୍ଭ କରିଛି । ଲୋକେ ଗାଁ ମୁହାଁ ହେଉଛନ୍ତି । ବନ୍ୟା ପରେ ପାନୀୟ ଜଳର ସମସ୍ୟାକୁ ଆଖି ଆଗରେ ରଖି ଜଗତସିଂହପୁର, ପୁରୀ, କେନ୍ଦ୍ରାପଡାରେ ପିଇବା ପାଣି ଯୋଗାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ହୀରାକୁଦର ଏବେ ୬ଟି ଗେଟ ବନ୍ଦ କରାଯାଇଛି । ୪ଟି ଗେଟ ଖୋଲା ରହିଛି ବୋଲି ସୂଚନା ମିଳିଛି ।
ଇଟିଭି ଭାରତ, ଭୁବନେଶ୍ବର