ଭୁବନେଶ୍ବର: ସ୍ବାସ୍ଥ୍ୟ କର୍ମଚାରୀଙ୍କ ପରିବାର ଲାଗି ଆଶ୍ବସ୍ତିକର ଖବର । ଏଣିକି ସ୍ବାସ୍ଥ୍ୟସେବା ଯୋଗାଉଥିବା କର୍ମଚାରୀଙ୍କ ପରିବାର ଲୋକଙ୍କୁ ଦିଆଯିବ ଟିକା । ସେମାନଙ୍କ ପରିବାର ସଦସ୍ୟଙ୍କୁ କୋଭିଡ ଟିକା ଦେବାକୁ ସ୍ବାସ୍ଥ୍ୟ ବିଭାଗ ବୁଧବାର ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ବୁଧବାର ସମସ୍ତ ଜିଲ୍ଲାପାଳ ଓ ମହାନଗର କମିଶନରଙ୍କୁ ଚିଠି ଲେଖିଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ।
ରାଜ୍ୟରେ ଜାନୁଆରୀ 16ରୁ ସ୍ବାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯାଉଛି । ରାଜ୍ୟରେ ପ୍ରାୟ 95 ପ୍ରତିଶତ ସ୍ବାସ୍ଥ୍ୟକର୍ମୀ ଟିକା ନେଇ ସାରିଲେଣି । ସଂକ୍ରମଣ ବଢ଼ୁଥିବାରୁ ସ୍ବାସ୍ଥ୍ୟକର୍ମୀଙ୍କ ପରିବାର ଲୋକଙ୍କୁ ଟିକା ଦେବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ।
ଏନେଇ ସମସ୍ତ ଜିଲ୍ଲାପାଳ ଓ ମହାନଗର ନିଗମ କମିଶନର ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି । ସ୍ବାସ୍ଥ୍ୟକର୍ମୀଙ୍କ ପରିବାରର ସବୁ ବର୍ଗର ଲୋକଙ୍କୁ ଟିକା ଦିଆଯିବ ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ