ଭୁବନେଶ୍ବର: ମଙ୍ଗଳବାର ବିଜେପିର ସଦସ୍ୟ ପଦରୁ ଇସ୍ତଫା । ଆଉ ୨୪ ଘଣ୍ଟା ନପୁରୁଣୁ ଇସ୍ତଫା ପତ୍ର ଫେରେଇ ନେଲେ ଜଗନ୍ନାଥ ପ୍ରଧାନ। ମଧ୍ୟ ଭୁବନେଶ୍ବରରୁ ବିଜେପିର ପାର୍ଥୀ ହୋଇଥିବା ଜଗନ୍ନାଥ ପ୍ରଧାନ ଗତକାଲି ବ୍ୟକ୍ତିଗତ ସମସ୍ୟା ଦର୍ଶାଇ ଦଳରୁ ନିଜକୁ ଦୂରେଇ ନେଇଥିଲେ । ହେଲେ ଆଜି ପୁଣି ଥରେ ନିଜ ଦଳକୁ ଫେରିଆସିଛନ୍ତି । ଏନେଇ ଜଗନ୍ନାଥ ପ୍ରଧାନ ନିଜେ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି ।
ଜଗନ୍ନାଥ କହିଛନ୍ତି, ଗତକାଲି ଠାରୁ ସବୁ ରାଜ୍ୟ ନେତୃତ୍ୱଙ୍କ ସହ ଆଲୋଚନା କରିଛୁ। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଆଲୋଚନା କରିଛି। ଏକାଠି ହୋଇ କାମ କରିବୁ ଆଗକୁ ବଢିବୁ। ଦଳର କିଛି ମାତ୍ରାରେ ବିଚ୍ୟୁତି ଥିବାରୁ ଅସନ୍ତୋଷ ଥିଲା । ଅଭିମାନ ଥିଲା, ଦୂର ହୋଇଛି। ଦଳ ଆମ ପରିବାର। ସମସ୍ତଙ୍କୁ ନେଇ ଚାଲିବ ଭଲ। ମୁଁ ଅଭିମାନ ଭାଙ୍ଗିଲି। ଅସନ୍ତୋଷ ନଥିଲା। ଇସ୍ତଫା ପ୍ରତ୍ୟାହାର କରିନେଇଛୁ ବୋଲି କହିଛନ୍ତି ଜଗନ୍ନାଥ ପ୍ରଧାନ ।
ସୂଚନା ଅନୁସାରେ ଭୁବନେଶ୍ବରର ଜିଲ୍ଲା ସଭାପତି ପଦ ପାଇଁ ଜଗନ୍ନାଥ ପ୍ରଧାନ ଆଶାୟୀ ଥିଲେ କିନ୍ତୁ ତାଙ୍କ ପରିବର୍ତ୍ତେ ବାବୁ ସିଂ ଙ୍କୁ ଭୁବନେଶ୍ବର ସଭାପତି କରିବା ଫଳରେ ସେ ଇସ୍ତଫା ଦେଇଥିଲେ । ଏନେଇ ବାବୁ ସିଂ କହିଛନ୍ତି ଯେ ମୁଁ ଜଗା ଭାଇଙ୍କ ପାଖକୁ ଯାଇଥିଲି ତାଙ୍କ ମତ ନେବାକୁ। ଏହା ପରିବାର କଥା, ବିଜେପି ବିଶ୍ବର ସର୍ବ ବୃହତ ଦଳ। ମତାନ୍ତର ଥାଇ ପାରେ। ଦୁଇ ଦିନ ତଳେ ଆମେ କଥା ବି ହୋଇଥିଲୁ। ସେ କହିଥିଲେ ଆମ ଭିତରୁ ଯିବେ ବି ସଭାପତି ହେବ, ଆଗ ପରାଜୟ ସମୀକ୍ଷା କରି ଦଳ ଗଢିବା। ସେ କହିବା କଥା ତାଙ୍କ ସହିତ କେହି ଆଲୋଚନା କରି ନଥିଲେ।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ, ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ସହ ଆଲୋଚନା କରିଛି। ମତେ ଲାଗୁନି ସେ ମୋ ପାଇଁ ଦଳ ଛାଡିଛନ୍ତି ବୋଲି କହିଛନ୍ତି ବୋଲି କହିଛନ୍ତି ବାବୁ ସିଂ ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ