ଭୁବନେଶ୍ବର: ସ୍ଥାନୀୟ ସ୍ବାଧୀନତା ସଂଗ୍ରାମୀ ଭବନ ପରିସରରେ ଆଜି(ଶନିବାର) ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନୂଆ ଓଡ଼ିଶାର ଅନ୍ୟତମ ବିନ୍ଧାଣି ଡକ୍ଟର ହରେକୃଷ୍ଣ ମହତାବଙ୍କ 34ତମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଆୟୋଜିତ 34ତମ ସ୍ବାଧୀନତା ସଂଗ୍ରାମୀ ମହୋତ୍ସବ ଅନୁଷ୍ଠିତ ହୋଇଛି ।
ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ' ସ୍ବାଧୀନତା ପୂର୍ବରୁ ଓଡ଼ିଆମାନେ କେନ୍ଦ୍ରର ରାଜନୀତିରେ ଧାକ ଜମାଇଥିଲେ । ସେଥିମଧ୍ୟରୁ ମହତାବ ଅନ୍ୟତମ ଓ ବିରଳ ନିଦର୍ଶନ । ସ୍ବାଧୀନତା ସଂଗ୍ରାମୀମାନେ ଆମର ବର୍ତ୍ତମାନ ସ୍ଥିତିକୁ ଦୃଢ଼ କରିବାର ଭିତ୍ତିଭୂମି । ସେମାନଙ୍କ ବଳିଦାନ ଓ ଯୋଗଦାନ ପାଇଁ ଆମ୍ଭେମାନେ ଏହି ସ୍ଥାନରେ ଉପସ୍ଥିତ ।'
ଏଥିସହ ଏକବିଂଶ ଶତାବ୍ଦୀରେ ଆମ ଯୁବପିଢି ସେହିଭଳି ନେତୃତ୍ୱର ପରାକାଷ୍ଠା ପ୍ରଦର୍ଶନ ପାଇଁ ଆଗକୁ ଆସିବାକୁ ଧର୍ମେନ୍ଦ୍ର ପ୍ରଧାନ ପରାମର୍ଶ ଦେଇଛନ୍ତି । ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ମନ୍ତ୍ରୀ ସମୀର ରଞ୍ଜନ ଦାଶ, ସାଂସଦ ଭର୍ତ୍ତୃହରି ମହତାବ, ବିଧାୟକ ସୁରେଶ ଚନ୍ଦ୍ର ରାଉତରାୟ, ପ୍ରଫୁଲ୍ଲ ସାମଲ ଓ ଅନ୍ୟାନ୍ୟ ବ୍ୟକ୍ତିବିଶେଷ ଯୋଗ ଦେଇଥିଲେ ।
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ