ଭୁବନେଶ୍ବର: 25ତମ ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ-2019 ଅନୁଷ୍ଠିତ ହୋଇଯାଇଛି । ଉତ୍ସବର ପ୍ରଥମ ସନ୍ଧ୍ୟାରେ ଭଜନ ସମ୍ରାଟ ଅନୁପ ଜଲୋଟା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ତାଙ୍କ ଦ୍ବାରା ପରିବେଷିତ ସଂଗୀତରେ ଝୁମିଲେ ଦର୍ଶକ।
ଚଳିତ ବର୍ଷ ଏହି ଉତ୍ସବକୁ 25 ବର୍ଷ ପୂରିଛି । ରବୀନ୍ଦ୍ର ମଣ୍ଡପରେ ସେପ୍ଟେମ୍ବର 5ରୁ 11 ମଧ୍ୟରେ ଏହି ଉତ୍ସବ ଅନୁଷ୍ଠିତ ହେବ । ଓଡ଼ିଶୀ ନୃତ୍ୟର ଆଦ୍ୟଗୁରୁ ଗୁରୁ କେଳୁଚରଣ ମହାପାତ୍ରଙ୍କ ନାମରେ ପ୍ରଦାନ କରାଯାଉଥିବା ଏହି ସମ୍ମାନ ପ୍ରତିବର୍ଷ ଭଳି ଚଳିତ ବର୍ଷ ବି 5 ଜଣଙ୍କୁ ମିଳିବ । ବିଶିଷ୍ଟ ତବଲା ବାଦକ ଗୁରୁ ହର ମୋହନ ଖୁଣ୍ଟିଆ, ଓଡିଶୀ ନୃତ୍ୟ ଗୁରୁ ଦୁର୍ଗା ଚରଣ ରଣବୀର, ନୃତ୍ୟ ସମୀକ୍ଷକ ଡ଼ ସୁନୀଲ କେଠାରି, ଶ୍ରୀମତୀ ଲୀଲା ଭେଙ୍କଟରମଣ ଏବଂ ପରିଚିତ ଫଟୋଗ୍ରାଫର୍ ଶ୍ରୀ ଅଭିନାଶ ପସ୍ରିଚାଙ୍କୁ ଏହି ସମ୍ମାନ ଦିଆଯିବ ।
ସେହିପରି ଓଡିଶୀ ନୃତ୍ୟଶିଳ୍ପୀ ଶ୍ରୀମତୀ ସ୍ବପ୍ନକଳ୍ପ ଦାସଗୁପ୍ତା, ରାହୁଲ ଆଚାର୍ଯ୍ୟ, ଶ୍ରୀମତୀ ରାଜଶ୍ରୀ ପ୍ରହରାଜ, ଶ୍ରୀମତୀ ଅନ୍ବେଷା ମହନ୍ତ ଏବଂ ଓଡିଶୀ ସଙ୍ଗୀତ ପାଇଁ ସତ୍ୟବ୍ରତ କାଠଙ୍କୁ ଗୁରୁ କେଳୁଚରଣ ମହାପତ୍ର ଯୁବ ପ୍ରତିଭା ସମ୍ମାନରେ ପ୍ରଦାନ କରାଯିବ । ଉତ୍ସବରେ ଶେଷ ଦିନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରତିଭାଙ୍କୁ ପୁରସ୍କୃତ କରିବେ।
ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ