ଭୁବନେଶ୍ବର: କେବେ ଫେରିବେ ମୋ ଜଗା କାଳିଆ । ଦିଲ୍ଲୀ ଏମ୍ସରେ ପାଖାପାଖି 2 ବର୍ଷ ହୋଇଗଲା । ହେଲେ ଓଡିଶା ଫେରାଇବାକୁ ସରକାର ଆବଶ୍ୟକ ପ୍ରକ୍ରିୟା କରୁନାହାଁନ୍ତି । ଏତେ ଦିନ ହେଲା ଗାଁ ଯାଇନାହୁଁ । ଦୁଇ ପୁଅଙ୍କୁ ଛାଡି ଯିବୁ ବା କେମିତି ? ସେପଟେ ଘରେ ଦୁଇ ଛୁଆ, ବୁଢା ବାପା ମା । ପିଲାଙ୍କ ପାଠପଢାରେ ଡୋରି ବନ୍ଧା ହୋଇଯାଇଛି । ତାଙ୍କ କଥା ବି ମନେ ପଡୁଛି । ଜଗା ବଳିଆ କେବେ ଓଡିଶା ଫେରିବେ, ସେନେଇ ଅନିଶ୍ଚିତତା ଲାଗି ରହିଥିବା ବେଳେ ଆଜି ଗଣମାଧ୍ୟମକୁ ଏଭଳି କିଛି କହିଛନ୍ତି ଜଗା ବଳିଆଙ୍କ ବାପା ଭୂୟାଁ କହଁର ।
ଦିଲ୍ଲୀ ଏମ୍ସରେ ଆଉ ରହିବାକୁ ଚାହୁଁନାହିଁ । ଏମ୍ସ କର୍ତ୍ତୃପକ୍ଷ ମଧ୍ୟ ଡିସଚାର୍ଜ ପାଇଁ ଅନୁମତି ଦେଇଛନ୍ତି । ହେଲେ ଓଡିଶା ସରକାର ଏନେଇ ନିରବ ରହୁଛନ୍ତି । ତେଣୁ ଦୁଇ ଶିଶୁଙ୍କୁ ଭୁବନେଶ୍ବର ନିଆଯାଉ । ଫଳରେ ସେଠାରେ ରହି ମୁଁ ମୋ ପରିବାରର ଦେଖାଶୁଣା କରିପାରିବି ବୋଲି ଭୂୟାଁ କହିଛନ୍ତି ।
ଅନ୍ୟପକ୍ଷରେ ସ୍ଵାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ କହିଛନ୍ତି, ଯଦିଓ ଦିଲ୍ଲୀ ଏମ୍ସ ସ୍ଥାନାନ୍ତର କରିବାକୁ ପ୍ରସ୍ତୁତ ଅଛି, ତେବେ ଭୁବନେଶ୍ବର ଏମ୍ସ ପକ୍ଷରୁ ଏନେଇ କୌଣସି ସଙ୍କେତ ମିଳିନି । ସେମାନେ ସହମତ ହେଲାପରେ ଯାଇ ରାଜ୍ୟ ସରକାର ପଦକ୍ଷେପ ନେବେ ।
ସୂଚନାଯୋଗ୍ୟ, 2017 ଅକ୍ଟୋବର 25ରେ କନ୍ଧମାଳର ଏହି ଯୋଡାମୁଣ୍ଡିଆ ଶିଶୁଙ୍କ ବିରଳ ଅସ୍ତ୍ରୋପଚାର ହୋଇଥିଲା । 30 ଜଣିଆ ଡାକ୍ତର ଟିମ 11 ଘଣ୍ଟା ଧରି ଅପରେସନ କରିବା ପରେ ଶେଷରେ ଯୋଡ଼ାମୁଣ୍ଡ ଅଲଗା ହୋଇଥିଲା।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ