ଭୁବନେଶ୍ବର: କେନ୍ଦୁପତ୍ରକୁ ସରକାରଙ୍କ ପ୍ରାଧାନ୍ୟ । 222 କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କଲେ ରାଜ୍ୟ ସରକାର । ୨୦୧୮ କେନ୍ଦୁପତ୍ର ଶସ୍ୟ ବର୍ଷ ପାଇଁ କେନ୍ଦୁପତ୍ର ବ୍ୟବସାୟରେ ସମ୍ପୃକ୍ତ ଥିବା ତୋଳାଳି, ବନ୍ଧେଇ ଶ୍ରମିକ ଓ କର୍ମଚାରୀଙ୍କୁ ବୋନସ ଓ ପ୍ରତ୍ସୋହାନ ପାଇଁ ୨୨୨ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଛନ୍ତି ସରକାର ।
ଆଜି(ମଙ୍ଗଳବାର) ସଚିବାଳୟରେ କେନ୍ଦୁପତ୍ର ଉନ୍ନୟନ ବୋର୍ଡର ମିଟିଂରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି । ସୂଚନା ଅନୁସାରେ, ରାଜ୍ୟରେ ବର୍ତ୍ତମାନ ୮ଲକ୍ଷ ୫୨ହଜାର କେନ୍ଦୁପତ୍ର ତୋଳାଳି, ୨୦ହଜାର ୬୫୦ ବନ୍ଦେଇ ଶ୍ରମିକ ଓ ୧୭ହଜାର ୮୬୦ ସାମୁହିକ କର୍ମଚାରୀ ଅଛନ୍ତି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟର ସାମୂହିକ ବିକାଶରେ କେନ୍ଦୁପତ୍ର ବ୍ୟବସାୟର ବିଶେଷ ଗୁରୁତ୍ୱ ରହିଛି । ଏଥିରେ ବିଶେଷ କରି ଆଦିବାସୀ ଲୋକ କାମ କରିଥାନ୍ତି ।
ସେମାନଙ୍କ ଆର୍ଥିକ ସହାୟତା ଓ ଆର୍ଥିକ ଉନ୍ନତି ପାଇଁ ଏହା ସହାୟକ ହେବ । ରାଜ୍ୟ ସରକାର କେନ୍ଦୁପତ୍ର ବ୍ୟବସାୟରୁ ପାଉଥିବା ଲାଭାଂଶ ସେମାନଙ୍କ ପାଇଁ ବିଭିନ୍ନ କଲ୍ୟାଣ ମୂଳକ କାର୍ଯ୍ୟରେ ବିନିଯୋଗ କରାଯାଉଛି ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ