ଭୁବନେଶ୍ବର: ବିଜେବି କଲେଜରେ ପୁଣି ରାଗିଂ ଅଭିଯୋଗ । ଛାତ୍ରୀ ରୁଚିକାଙ୍କ ମୃତ୍ୟୁକୁ ନେଇ କଲେଜରେ ରାଗିଂ ହେଉଥିବା ଗୁମର ପଦାରେ ପଡିବା ପରେ ପୁଣି ଆଉ ଏକ ଅଭିଯୋଗ ହୋଇଛି । ସିନିୟର ଛାତ୍ରଙ୍କ ନାମରେ ଅଭିଯୋଗ ଆଣିଛନ୍ତି ଦ୍ବିତୀୟ ବର୍ଷ ବାଣିଜ୍ୟ ଛାତ୍ର ରୁଦ୍ର ନାରାୟଣ ପାତ୍ର। ସିନିୟରଙ୍କ ଛତ୍ରଛାୟାରେ ତାଙ୍କ ସହପାଠୀ ତାଙ୍କୁ ମାରିଥିବା ଅଭିଯୋଗ ହୋଇଛି । ଏନେଇ ବରଗଡ ଥାନାରେ ଅଭିଯୋଗ କରିଛନ୍ତି ଛାତ୍ର । ମାତ୍ର ଏ ନେଇ କଲେଜ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିନାହିଁ ।
ଆମ୍ବେଦକର ହଷ୍ଟେଲ୍ ସିନିୟର ଛାତ୍ରଙ୍କ ବିରୁଦ୍ଧରେ ଅଭିଯୋଗ ହୋଇଛି । କଲେଜ ଅଧ୍ୟାପକ ମାନଙ୍କ ସାମ୍ନାରେ ରାଗିଂ କରାଯାଉଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ ଆଣିଛନ୍ତି ରୁଦ୍ର ନାରାୟଣ ପାତ୍ର । ତାଙ୍କୁ ମାଡ ମାରିବା ସହ କାନ ଧରି ଉଠବସ କରାଯାଇଥିବା ଅଭିଯୋଗ କରିଛନ୍ତି ଅଭିଯୋଗକାରୀ । ଏନେଇ ବରଗଡ ଥାନାରେ ଅଭିଯୋଗ କରିବା ପରେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା କହିଛନ୍ତି ଅଭିଯୋଗକାରୀ ଛାତ୍ର ।
ପ୍ରକାଶ ଥାଉ କି, ନିକଟରେ ବିଜେବି କଲେଜ ଛାତ୍ରୀ ରୁଚିକାଙ୍କ ମୃତ୍ୟୁ ହୋଇଥିଲା । ସିନିୟରଙ୍କ ରାଗିଂ ସହିନପାରି ଜୀବନ ହାରିିଥିବା ସୁଇସାଇଡ ନୋଟ ମିଳିିଥିବା ଜଣାପଡିଥିଲା । ଘଟଣାକୁ ନେଇ ରାଜଧାନୀଠୁ ବିଧାନସଭା ତାତି ଦେଖିବାକୁ ମିଳିଛି ଆଉ ବର୍ତ୍ତମାନ ପୁଣି କଲେଜ ନାମରେ ଆଉ ଏକ ଅଭିଯୋଗ ଚିନ୍ତାର କାରଣ ହୋଇଛି ।
ଇଟିଭି ଭାରତ, ଭୁବନେଶ୍ବର