ଭବାନୀପାଟଣା: ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲା । ତେଜିବାରେ ଲାଗିଛି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବି । ମନ୍ତ୍ରୀଙ୍କ ବହିଷ୍କାର ସହ ଗିରଫଦାରୀ ଦାବିରେ ରାଜରାସ୍ତାରେ ଗର୍ଜୁଛନ୍ତି ବିରୋଧି । ଇତିମଧ୍ୟରେ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଭକ୍ତ ଦାସ ମଧ୍ୟ ଦିବ୍ୟଶଙ୍କର ମିଶ୍ରଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି । ରାଜ୍ୟ ସରକାରଙ୍କୁ ଯଦି ଟିକେ ଲାଜ ଅଛି ତେବେ ମନ୍ତ୍ରୀଙ୍କୁ ତୁରନ୍ତ ବରଖାସ୍ତ କରନ୍ତୁ ଏବଂ ଗିରଫ କରନ୍ତୁ ବୋଲି ସେ କହିଛନ୍ତି ।
ଶିକ୍ଷୟିତ୍ରୀଙ୍କୁ ହତ୍ୟା କରିବା ପଛରେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ହାତ ଅଛି । ରାଜ୍ୟ ସରକାର ଯେତେ ଲୁଚାଇବାକୁ ଚେଷ୍ଟା କଲେ ବି ତାହା ଲୁଚାଇ ପାରିବ ନାହିଁ । ମନ୍ତ୍ରୀଙ୍କୁ ବରଖାସ୍ତ କରାଯାଇ ଗିରଫ କରାଯାଉ ଏବଂ ଜେରା କରାଯାଇ ପ୍ରକୃତ ସତ ବାହାର କରାଯାଉ ବୋଲି କହିଛନ୍ତି ଭକ୍ତ ଦାସ । ଏଥିସହ ଭବାନୀପାଟଣା ସହରର ଏକ ଲଜରେ ଏହି ମର୍ଡର ମିଷ୍ଟ୍ରିର ଗୁମର ଲୁଚି ରହିଥିବା ସେ ଅଭିଯୋଗ କରିଛନ୍ତି । ତେଣୁ ଆସନ୍ତା ୩୦ ତାରିଖ ସୁଦ୍ଧା ଯଦି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନ ନିଆଯାଏ ତେବେ ରାଜ୍ୟ ସରକାରଙ୍କୁ ଅପଦସ୍ତ ହେବାକୁ ପଡିବ ବୋଲି ଚେତାବନୀ ଦେଇଛନ୍ତି ଏହି ବରିଷ୍ଠ କଂଗ୍ରେସ ନେତା ।
ଉଲ୍ଲେଖଯୋଗ୍ୟ, ଏହି ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ଗିରଫ କରାଯାଇ କୋର୍ଟ ଚାଲାଣ ହୋଇଥିବାବେଳେ ପୋଲିସ ତାକୁ ୫ ଦିନିଆ ରିମାଣ୍ଡରେ ଆଣି ତଦନ୍ତ ଜାରି ରଖିଛି ।
କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ