ଭୁବନେଶ୍ବର: କୋରୋନା କବଳରେ ଆଖି ବୁଜିଛନ୍ତି ପୂର୍ବତନ ଆଇପିଏସ ଅଧିକାରୀ ଜନ ନାୟକ । ଗୁରୁବାର ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ମୃତ୍ୟୁ ବେଳକୁ ତାଙ୍କୁ 78 ବର୍ଷ ହୋଇଥିଲା । ସେ ଥିଲେ 1965 ବ୍ୟାଚର ଆଇପିଏସ ଅଧିକାରୀ । ଫୁଲବାଣୀର ଏକ ଆଦିବାସୀ ଅଧ୍ୟୁଷିତ ଗାଁରୁ ପୋଲିସ ମହାନିର୍ଦ୍ଦେଶକ ପର୍ଯ୍ୟନ୍ତ ତାଙ୍କର ଯାତ୍ରାକୁ ମନେ ପକାଇ ଟ୍ବିଟ ଯୋଗେ ଶୋକ ପ୍ରକାଶ କରିଛନ୍ତି ଡିଜିପି ଅଭୟ ।
ପୂର୍ବ ସମୟରେ ରାଜ୍ୟର ରାଜଧାନୀ ଏତେ ବିକଶିତ ହୋଇନଥିବା ବେଳେ ଫୁଲବାଣୀରେ ମୌଳିକ ସୁବିଧା ଓ ଶିକ୍ଷା ବ୍ୟବସ୍ଥା କେତେ ସୁବିଧାଜନକ ରହିଥିବ ତାହା ସ୍ପଷ୍ଟ ପରିମେୟ । ଏମିତିରେ ସେ କଠିନ ପରିଶ୍ରମ ଓ ନିଜ ନିଷ୍ଠା ବଳରେ କଟକ ଓ ଭୁବନେଶ୍ବରକୁ ଆସି ନିଜ ପଢା ସମାପ୍ତ କରିଥିଲେ । ଆଉ ଏହି ପରିଶ୍ରମ ବଳରେ ସେ ରାଜ୍ୟର ପୂର୍ବାଞ୍ଚଳର ପ୍ରଥମ ଡିଆଇଜି ଭାବେ କାର୍ଯ୍ୟରେ ଯୋଗ ଦେଇଥିଲେ ।
ସ୍ବାଧୀନତା ସଂଗ୍ରାମୀ ତଥା ଗଞ୍ଜାମ ଜିଲ୍ଲା ଆସ୍କା ନିର୍ବାଚନ ମଣ୍ଡଳୀର ପ୍ରଥମ ବିଧାୟକ ମଧୁସୂଦନ ମହାପାତ୍ରଙ୍କ ଝିଅ ମାୟାଙ୍କ ସହ ତାଙ୍କର ବିବାହ ହୋଇଥିଲା । ଆଜୀବନ ନିଜ ନିଷ୍ଠାପର କାର୍ଯ୍ୟ ପାଇଁ ସେ 1995 ମସିହାରେ ପୋଲିସ ପଦକରେ ସମ୍ମାନିତ ହୋଇଥିବା ବେଳେ 2002 ମସିହାରେ ସେ ରାଷ୍ଟ୍ରପତି ପୋଲିସ ପଦକ ଦ୍ବାରା ସମ୍ମାନିତ ହୋଇଥିଲେ ।
ତେବେ 2002 ମସିହାରେ ସେ ଅବସର ଗ୍ରହଣ କରିଥିଲେ । ହେଲେ ଆଦିବାସୀ ଅଧ୍ୟୁଷିତ ଗାଁରୁ ପୋଲିସ ମହାନିର୍ଦ୍ଦେଶକର ପ୍ରେରଣାଦାୟୀ ଯାତ୍ରା ପାଇଁ ସେ ସଦୈବ ସ୍ମରଣୀୟ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ