ଭୁବନେଶ୍ବର: ଗୁପଚୁପ ବିକୁଥିଲେ ଶିଶୁ ଶ୍ରମିକ । ଶିଶୁ ଶ୍ରମିକଙ୍କୁ କାମରେ ଲଗାଇଥିଲେ ଦଲାଲ । ଏପରି ଭାବରେ ଗୁପଚୁପ ବିକୁଥିବା ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରିଛି ଚାଇଲ୍ଡ ଲାଇନ ଓ ବାଲିପାଟଣା ପୋଲିସ ।
ବାଲିପାଟଣା କଲେଜ ସାମ୍ନାରେ ଗୁପଚୁପ ପସରା ପକାଇ ବିକୁଥିଲେ ଗୁପଚୁପ । ଯେଉଁଥିରେ ଅଧିକାଂଶ ପିଲା ବିହାରର ବୋଲି ଜଣାପଡିଥିବା ବେଳେ ଜଣେ ଦଲାଲ ସେମାନଙ୍କୁ କାମରେ ଲଗାଇ ଗୁପଚୁପ ପ୍ରସ୍ତୁତି କରି ବିକାଉଥିଲା। ଏନେଇ ବାଲିପାଟଣା ପୋଲିସ ସହାୟତାରେ ଏକକାଳୀନ ଭାବେ ରେଡ ବେଳେ ୫ ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରଯାଇଛି । ତେବେ ସେମାନଙ୍କୁ ସିଡବ୍ଲୁସି ଖୋର୍ଦ୍ଧାରେ ହାଜର କରିବା ପରେ ଜଟଣୀ ସ୍ଥିତ ଭୈରବୀ ଓପନ ସେଲଟରକୁ ପଠାଯାଇଛି।
ତେବେ କେବଳ ବାଲିପାଟଣା ନୁହେଁ ରାଜଧାନୀର ବିଭିନ୍ନ ମଲ ଓ ଫିଲ୍ମ ହଲ ସହ କଲେଜ ସମ୍ମୁଖରେ ଏପରି ବିହାରୀ ନାବାଳକ ଗୁପଚୁପ ବିକ୍ରି କରୁଥିବା ଦେଖିବାକୁ ମିଳୁଛି । ସେମାନଙ୍କୁ ନିର୍ଦ୍ଧିଷ୍ଟ କିଛି ଅସାଧୁ ବ୍ୟକ୍ତି ବିହାରରୁ ଆଣି ଏପରି କାର୍ଯ୍ୟରେ ନିୟୋଜିତ କରୁଛନ୍ତି । ଏଥିପାଇଁ ସେହି ପିଲାଙ୍କ ପରିବାରକୁ ମଧ୍ୟ କିଛି ପାରିଶ୍ରାମିକ ଦେଉଛନ୍ତି । ତେବେ ଏପରି ଶିଶୁ ଶ୍ରମିକ ଉଦ୍ଧାର ହେବା ପରେ ଅନ୍ୟତ୍ର କିଛି ସ୍ଥାନରେ ଚଢାଉ କରାଯିବ ବୋଲି ସୂଚନା ମିଳିଛି ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ