ଭୁବନେଶ୍ବର: ଠକ ଡାକ୍ତର ରମେଶ ସ୍ବାଇଁର କଳା କାରନାମାରେ ସାମିଲ ଥିଲେ ତାଙ୍କ ପ୍ରଥମ ପତ୍ନୀ ଶାନ୍ତିଲତା । ରମେଶଙ୍କ ଦ୍ବିତୀୟ ପତ୍ନୀ କମଳା ତିର୍କୀଙ୍କୁ ଜେରା ବେଳେ ବର୍ତ୍ତମାନ ଏହି ତଥ୍ୟ ପଦାକୁ ଆସିଛି । ପୂର୍ବରୁ ମଧ୍ୟ ରମେଶ ଗିରିଫ ହୋଇଥିଲେ । କମଳା ଟଙ୍କା ଦେଲେ ଶାନ୍ତିଲତା ତାଙ୍କୁ ବେଲ୍ରେ ଆଣୁଥିଲେ ।
ଗୁଡ଼ଗାଁଓରେ 2015ରେ ଗିରଫ ହୋଇଥିଲା ରମେଶ ଆଉ ତାଙ୍କ ସହ ରହିଥିଲେ ଦ୍ବିତୀୟ ପତ୍ନୀ କମଳା । ରମେଶଙ୍କ ଅପରାଧ ସହ ସମ୍ପୂର୍ଣ୍ଣ ସଂପୃକ୍ତି ମାନିଛନ୍ତି କମଳା । ଏହାପରେ ରାଜଧାନୀ ମିହିଳା ଥାନା ପୋଲିସ ଗୁଡ଼ଗାଁଓ ପୋଲିସ ସହ ଯୋଗାଯୋଗ କରିଛି । ସେଠାରେ ରମେଶଙ୍କ କଣ ଅପରାଧିକ ରେକର୍ଡ ରହିଛି ସେନେଇ ଖୋଳତାଡ଼ କରୁଛି ମହିଳା ପୋଲିସ ।
ଗୁଡ଼ଗାଁଓରେ ମଧ୍ୟ ଚାକିରୀ କରାଇ ଦେବା ନାଁରେ ଲୋକଙ୍କୁ ଠକିଥିଲେ ରମେଶ । ଏହାପରେ ଗିରଫ ହେଉଥିଲେ । ଯେତେବେଳେ ବି ଗିରଫ ହେଉଥିଲା ତାଙ୍କୁ ଜାମିନରେ ଆଣୁଥିଲେ ପ୍ରଥମ ପତ୍ନୀ । ଗିରଫରୁ ବର୍ତ୍ତିବାକୁ ସେ ଆଗୁଆ ଜାମିନ ଜାମିନରେ ଅଛନ୍ତି । ଏହାକୁ ନେଇ ପୋଲିସ କୋର୍ଟଙ୍କୁ ଜଣାଇବ ବୋଲି ମହିଳା ଥାନା ଆଇଆଇସି କହିଛନ୍ତି ।
ଫେବ୍ରୁଆରୀ ୧୪ରେ ଠକ ରମେଶ ସ୍ବାଇଁକୁ ଗିରଫ କରିଥିଲା କମିଶନରେଟ ପୋଲିସର ମହିଳା ଥାନା । ପରେ ସେ ଅନେକ ମହିଳାଙ୍କୁ ଠକିଥିବା ଅଭିଯୋଗ ସାମ୍ନାକୁ ଆସିଥିଲା । ଠକ ରମେଶ ବିରୁଦ୍ଧରେ ଗୋଟିଏ ପରେ ଗୋଟିଏ ଗୁମର ଫିଟିଥିଲା । ଏକାଧିକ ମହିଳାଙ୍କୁ ଫସାଇ ବିବାହ କରିବା ଏବଂ ସେମାନଙ୍କଠୁ ଟଙ୍କା ଲୁଟ୍ କରିଥିଲା ଏହି ଠକ । ତଦନ୍ତ ବେଳେ ରମେଶ ମିଛ କହୁଥିବା ଯୋଗୁଁ ତାହାର ପଲିଗ୍ରାଫ ଟେଷ୍ଟ ହୋଇଥିଲା । ଏବେ ଏହି ଘଟଣାରେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ