ଭୁବନେଶ୍ବର: 2020-21 ଆର୍ଥିକ ବର୍ଷରେ ଫେବୃଆରୀ 15 ସୁଦ୍ଧା ଜିଏସଟି କ୍ଷତିପୂରଣ ବାବଦକୁ 3584.17 କୋଟି ଟଙ୍କା ବାକି ଅଛି । ତେବେ 2020 ମାର୍ଚ୍ଚ ପର୍ଯ୍ୟନ୍ତ ଜିଏସଟି ବାବଦରେ ବାକି ଥିବା ସମସ୍ତ କ୍ଷତିପୂରଣ କେନ୍ଦ୍ର ସରକାର ଦେଇସାରିଛନ୍ତି । ଗୃହରେ ଉତ୍ତର ରଖି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଏନେଇ ସୂଚନା ଦେଇଛନ୍ତି ।
ସେହିପରି ଚଳିତ ଆର୍ଥିକ ବର୍ଷ 2020-21 ଡିସେମ୍ବର ମାସ ସୁଦ୍ଧା ମୋଟ ରାଜସ୍ବ ଓ ପ୍ରାପ୍ତ ବାବଦକୁ 67 ହଜାର 983 କୋଟି 37 ଲକ୍ଷ ଟଙ୍କା ସଂଗ୍ରହ ହୋଇଛି । ଯାହା ଲକ୍ଷ୍ୟ ଧାର୍ଯ୍ୟ ପରିମାଣର 55 ପ୍ରତିଶତ । ସେଥିରୁ ନିଜସ୍ବ ଟିକସ ରାଜସ୍ବ ବାବଦକୁ 21 ହଜାର 941 କୋଟି 70 ଲକ୍ଷ ଟଙ୍କା, ନିଜସ୍ବ ଅଣ ଟିକସ ରାଜସ୍ବ ବାବଦକୁ 12 ହଜାର 167 କୋଟି 33 ଲକ୍ଷ ଟଙ୍କା । 16 ହଜାର 671 କୋଟି 8 ଲକ୍ଷ୍ୟ କୋଟି ଟଙ୍କା କେନ୍ଦ୍ରୀୟ ଅନୁଦାନ ମିଳିଛି । ଆଉ କେନ୍ଦ୍ରୀୟ ଟିକସରୁ ରାଜ୍ୟ ଅଂଶ ବାବଦକୁ 17 ହଜାର 203 କୋଟି 26 ଲକ୍ଷ ଟଙ୍କା ମିଳିଛି । ଯାହା ଗତ ବର୍ଷର ଅନୁରୂପ ପ୍ରାପ୍ତି ଠାରୁ 8.4 ପ୍ରତିଶତ କମ ଅଟେ । ତେବେ ଲକ୍ଷ୍ୟ ଠାରୁ ବହୁତ ପରିମାଣରେ ରାଜସ୍ବ ହ୍ରାସ ହୋଇଛି । ମହାଲେଖା ଓଡିଶା ଠାରୁ ଏହି ସୂଚନା ମିଳିଛି ।
ଏପଟେ ଜିଏସଟି ବାବଦକୁ ବାକିଥିବା ଟଙ୍କାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ । କେନ୍ଦ୍ର ଜିଏସଟି ବାବଦରେ ଟଙ୍କା ଦେଉନି ବୋଲି କହି ସେ କେନ୍ଦ୍ରକୁ ଘେରିଛନ୍ତି ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ