ଭୁବନେଶ୍ୱର: ଆସନ୍ତା ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ରାଜ୍ୟ ରାଜନୀତି ଉଠୁଛି ପଡୁଛି । କ୍ଷମତା ଲଢେଇରେ ଏବେ ସବୁଦଳ ନିଜ ନିଜ ଶକ୍ତି ବଢାଇବାରେ ଲାଗିଛନ୍ତି । ଏହି କ୍ଷେତ୍ରରେ ସର୍ବାଗ୍ରେ ଆଗରେ ଅଛି ବିଜେପି। ଦଳ ଟିକେଟ୍ ବଣ୍ଟାକୁ ନେଇ କିଛି ମାତ୍ରାରେ ବ୍ୟାକଫୁଟରେ ଥିବାବେଳେ ଆଜି ପୁଣିଥରେ ଦମଦାର କମବ୍ୟାକ କରିଛି ।
ଦଳୀୟ କାର୍ଯ୍ୟାଳୟରେ ଏକ ମିଶ୍ରଣ ପର୍ବ ଆୟୋଜନ କରିଥିଲା। ଏହି ମିଶ୍ରଣ ପର୍ବରେ ଓଡିଶାର ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ପ୍ରକାଶ ମିଶ୍ର ଗୈରିକ ବସ୍ତ୍ର ଧାରଣ କରିଥିଲେ । ଆଲୋଚନା ହେଉଛି ପ୍ରକାଶଙ୍କୁ ଦଳ କଟକ ଲୋକସଭା ଆସନରୁ ପ୍ରାର୍ଥୀ କରିବ । ଅନେକ ଦିନରୁ ପ୍ରକାଶ ରାଜନୀତିରେ ଯୋଗଦେବେ ବୋଲି ଚର୍ଚ୍ଚା ହେଉଥିଲେ ମଧ୍ୟ ପ୍ରକାଶ ଏହାକୁ ଏଡାଇ ଆସୁଥିଲେ । କିନ୍ତୁ ଶେଷରେ ବିଜେପି ତାଙ୍କୁ ବୁଝାଇବାରେ ସଫଳ ହୋଇଛି । ପ୍ରକାଶ କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ରାଜନୀତିକୁ ଆସିଛି । ଜଣେ ଚର୍ଚ୍ଚିତ ଦକ୍ଷ 1977 ବ୍ୟାଚର ଏହି ଆଇପିଏସ ଅଫିସର ସାରା ଭାରତବର୍ଷରେ ଏକ ଚର୍ଚ୍ଚିତ ନାଁ ।
1977 ରୁ 2016 ପର୍ଯ୍ୟନ୍ତ ଏହି ଅଫିସର ଭାରତର ବିଭିନ୍ନ ଅଞ୍ଚଳରେ ବିଭିନ୍ନ ପଦପଦବୀରେ କାମ କରି ବେଶ ସଫଳତା ପାଇଛନ୍ତି । ଯେତେବେଳେ ପ୍ରକାଶ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଥିଲେ ରାଜ୍ୟସରକାରଙ୍କ ରୋଷର ଶିକାର ହୋଇଥିଲେ ।
ଭୁବନେଶ୍ୱରରୁ ବିକାଶ ଦାସ, ଇଟିଭି ଭାରତ