ଭୁବନେଶ୍ବର: ଚଳିତ ମାସ ଦୁଇଟି ପର୍ଯ୍ୟାୟରେ ହେବ ସମବାୟ ନିର୍ବାଚନ । 19 ଓ 26 ତାରିଖରେ ଦୁଇଟି ପର୍ଯ୍ୟାୟରେ ସମବାୟ ନିର୍ବାଚନ ହେବ । ଏନେଇ ଆଜି ଦଳର ବରିଷ୍ଠ ନେତୃତ୍ବଙ୍କ ସହ ଭିସି ଜରିଆରେ କଥା ହୋଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ସମବାୟ ନିର୍ବାଚନ ପରିଚାଳନା ନେଇ ବିଜେଡି 7 ଜଣିଆ କମିଟି ଗଠନ କରିଛି । ବିଧାୟକ ପ୍ରତାପ ଦେବଙ୍କୁ ରାଜ୍ୟ କମିଟିର ଆବାହକ ଅଛନ୍ତି । ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ବିଧାୟକ ଅତନୁ ସବ୍ୟସାଚୀ ନାୟକ, ପ୍ରଣବ ବଳବନ୍ତରାୟ ଓ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କୁ ପରିଚାଳନା ଦାୟିତ୍ବ ଦିଆଯାଇଛି ।
ରାଜ୍ୟ କମିଟି ସହ ସ୍ଥାନୀୟ ନେତା ଓ ବିଧାୟକଙ୍କୁ ନେଇ ୪ ଟି ଜୋନ ଗଠନ କରାଯାଇଛି । ଜିଲ୍ଲା ଓ ଜୋନସ୍ତରରେ କମିଟି ଗଠନ କରିବାକୁ ବୈଠକରେ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଛି । ଚାଷୀ ଓ ପ୍ୟାକ୍ସର କର୍ମକର୍ତ୍ତାଙ୍କୁ କମିଟିରେ ଯୋଡାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ସମବାୟ ନିର୍ବାଚନ ପାଇଁ ଆଜି ଯୁବ ବିଜେଡି କାର୍ଯ୍ୟାଳୟରେ ବସିଛି ବିଜେଡିର ବୈଠକ । ଭିସି ଜରିଆରେ ସମ୍ବୋଧିତ କରିଛନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ । ଏହି ନିର୍ବାଚନ ଦଳୀୟ ଚିହ୍ନରେ ଲଢାଯାଉ ନଥିଲେ ମଧ୍ୟ ଦଳୀୟ ସମର୍ଥିତ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ନବୀନ ବୈଠକରେ ଗୁରୁମନ୍ତ୍ର ଦେଇଛନ୍ତି । ବୈଠକରେ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ ବିଧାୟକ ସୁଶାନ୍ତ ରାଉତ ଉପସ୍ଥିତ ଥିଲେ ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ