ଭୁବନେଶ୍ବର: ବିଜୟନଗରମ-ଟିଟିଲାଗଡ଼-ରାଇପୁର ରେଳ ଲାଇନର ୫୬ କିମି ଲମ୍ବ ଲାଞ୍ଜିଗଡ଼ ରୋଡ଼-ଜୁନାଗଡ଼ ରୋଡ଼ ରେଳ ସେକ୍ସନ ଏବଂ ହାଓଡ଼ା-ଚେନ୍ନାଇ ମୁଖ୍ୟ ରେଳ ଲାଇନର ୯୦କିମି ଲମ୍ବ ନୌପଡା-ଗୁଣୁପୁର ରେଳ ସେକ୍ସନରେ ବିଦ୍ୟୁତିକରଣ କାର୍ଯ୍ୟ ଖୁବ ଶୀଘ୍ର ଶେଷ ହେବ । ଏନେଇ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ସମ୍ପାଦନ କରାଯାଉଛି ।
ଲାଞ୍ଜିଗଡ଼ ରୋଡ଼-ଜୁନାଗଡ଼ ରୋଡ଼ ରେଳ ସେକ୍ସନରେ ୫୬ କିମି ରେଳ ଲାଇନ ପାଇଁ ବିଦ୍ୟୁତିକରଣ ବାବଦରେ ପ୍ରାୟ ୬୨ କୋଟି ଟଙ୍କା ଖର୍ଚ୍ଚ କରାଯାଉଥିବା ବେଳେ ନୌପଡା-ଗୁଣୁପୁର ରେଳ ସେକ୍ସନରେ ୯୦ କିମି ରେଳ ଲାଇନ ପାଇଁ ବିଦ୍ୟୁତିକରଣ ବାବଦରେ ପ୍ରାୟ ୧୦୫ କୋଟି ଟଙ୍କା ଖର୍ଚ୍ଚ କରାଯାଉଛି I
ବର୍ତ୍ତମାନ ସମ୍ବଲପୁର ରେଳ ମଣ୍ଡଳରେ ବିଭିନ୍ନ ରେଳ ସେକ୍ସନ ଯଥା ଝାରସୁଗୁଡା-ସମ୍ବଲପୁର, ସମ୍ବଲପୁର-ଅନୁଗୁଳ, ସମ୍ବଲପୁର-ଟିଟିଲାଗଡ଼, ଟିଟିଲାଗଡ଼-ସିଙ୍ଗାପୁର ରୋଡ଼ ଏବଂ ଟିଟିଲାଗଡ଼-ରାଇପୁର ରେଳ ସେକ୍ସନ ମାନଙ୍କରେ ବିଦ୍ୟୁତିକରଣ କାର୍ଯ୍ୟ ସମାପ୍ତ କରାଯାଇ ଇଲେକ୍ଟ୍ରିକ୍ ରେଳ ଇଞ୍ଜିନ ଦ୍ବାରା ଟ୍ରେନ ଚଳାଚଳ କରୁଛି I ଏତତବ୍ୟତୀତ ଟିଟିଲାଗଡ଼-ରାଇପୁର ରେଳ ସେକ୍ସନର ବେଲସୋଣ୍ଡା-କୋମାଖନ-ଖରିଆର ରୋଡ଼ ରେଳ ସେକ୍ସନର କାର୍ଯ୍ୟ ଚଳିତ ମାସ ଶେଷ ସୁଦ୍ଧା ସମାପ୍ତ ହୋଇଯିବ I
ଏଥିସହ ଚାଲୁ ରହିଥିବା ଖୋର୍ଦ୍ଧା ରୋଡ଼-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପରେ ଉଭୟ ପାର୍ଶ୍ବରୁ ବିଦ୍ୟୁତିକରଣ କାର୍ଯ୍ୟ ପ୍ରାରମ୍ଭ କରାଯାଇଛି I ୨୮୯ କିମି ଲମ୍ବ ଏହି ରେଳ ପ୍ରକଳ୍ପ ପାଇଁ ପ୍ରାୟ ୨୬୫ କୋଟି ଟଙ୍କା ବ୍ୟୟ କରାଯିବ I ସେହିପରି ପୂର୍ବତଟ ରେଳପଥ ମଧ୍ୟରେ ଏହି ସବୁ ରେଳ ସେକ୍ସନରେ ବିଦ୍ୟୁତିକରଣ କାର୍ଯ୍ୟ ସମ୍ପାଦନ ପରେ ଡିଜେଲ ଇଞ୍ଜିନ ପରିବର୍ତ୍ତେ ଇଲେକ୍ଟ୍ରିକ୍ ଇଞ୍ଜିନ ଦ୍ବାରା ଟ୍ରେନ ଚଳାଚଳ ହେବ । ଏହା ଟ୍ରେନ ମାନଙ୍କର ବେଗ ବୃଦ୍ଧି କରିବା ସହିତ ଡିଜେଲ ବାବଦରେ ବ୍ୟୟ କମ କରିବ ଏବଂ କମ ଖର୍ଚ୍ଚରେ ଟ୍ରେନ ଚଳାଚଳ କରିବ ।
ଚଳିତ ବର୍ଷ ଡିସେମ୍ବର ମାସ 31 ତାରିଖ ସୁଦ୍ଧା ଏହି ପ୍ରକଳ୍ପ ଗୁଡିକର କାର୍ଯ୍ୟ ସମ୍ପାଦନ ହେବ । ଏଥିରେ ବିଦ୍ୟୁତ ସଂଯୋଗ କରାଯାଇ ଚାର୍ଜ କରାଯିବ ଏବଂ ସାଧାରଣ ଜନତା ଓ ରାସ୍ତା ବ୍ୟବହାରକାରୀ ମାନଙ୍କ ସହିତ ବାହନ ଚାଳକ ମାନେ ଟ୍ରେନ ଲାଇନ ପାଖରେ କିମ୍ବା ପାର ହେବା ସମୟରେ ବିଶେଷ ସତର୍କତା ଅବଲମ୍ବନ କରିବାକୁ ପୂର୍ବତଟ ରେଳପଥ ପକ୍ଷରୁ କୁହାଯାଇଛି ।
ଭୁବନେଶ୍ବରରୁ ଅଜିତ୍ ଦାସ, ଇଟିଭି ଭାରତ