ଭୁବନେଶ୍ବର: ପୌର ନିର୍ବାଚନରେ ରାଜନୈତିକ ହିଂସା ଦେଖାଦେଉଛି । ପୌର ନିର୍ବାଚନ ଯେତେ ପାଖେଇ ଆସୁଛି ରାଜନୈତିକ ଉଷ୍ମତା ସେତେ ବୃଦ୍ଧି ପାଉଛି । ଏହି କ୍ରମରେ ରାଜନୈତିକ ହିଂସା ମଧ୍ୟ ବୃଦ୍ଧି ପାଉଛି । ଶାସକ ଦଳ ଦୁର୍ବଳ ହେଲେ ଏଭଳି କାର୍ଯ୍ୟ କରୁଛି ବୋଲି କହିଛନ୍ତି ଭୁବନେଶ୍ବର ବିଜେପି ଜିଲ୍ଲା ସଭାପତି ବାବୁ ସିଂହ ।
ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇ ବାବୁ ସିଂହ କହିଛନ୍ତି ଯେ, "ଆଗରୁ ଏଭଳି ଘଟଣା ଘଟୁନଥିଲା । ୨୦୧୯ ସାଧାରଣ ନିର୍ବାଚନ, ଏହାପରେ ପଞ୍ଚାୟତ ନିର୍ବାଚନ । ଏବେ ପୌର ନିର୍ବାଚନରେ ଏଭଳି କାଣ୍ଡ ଦେଖିବାକୁ ମିଳୁଛି । ସମସ୍ତ ରାଜନୈତିକ ଦଳକୁ ଅପିଲ୍ କରୁଛି ଏଭଳି ହିଂସା କାଣ୍ଡରୁ ଦୂରେଇ ରୁହନ୍ତୁ । ଅନ୍ୟଥା ଭବିଷ୍ୟତ ତାଙ୍କୁ କ୍ଷମା ଦେବ ନାହିଁ । ଓଡ଼ିଶାରେ ପଶ୍ଚିମବଙ୍ଗ ଭଳି ହିଂସାକାଣ୍ଡ ହେବାରେ ଲାଗିଛି ।"
ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତି ବିଗିଡିବାରେ ଲାଗିଛି ବୋଲି ବିରୋଧୀ ଅଭିଯୋଗ କରି ଆସୁଛନ୍ତି। ଶାସକ ବିଜେଡି ବିରୋଧୀଙ୍କୁ ଟାର୍ଗେଟ କରିଥିବା ବେଳେ ବିଜେପି ଶାସକ ଦଳ ଉପରେ ଦୋଷ ଲଦିଛି । ତେବେ ଏଭଳି ହିଂସା କାର୍ଯ୍ୟକଳାପ ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ ବୋଲି କହିଛନ୍ତି ବାବୁ ସିଂହ ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ