ଭୁବନେଶ୍ବର: ମହାତ୍ମା ଗାନ୍ଧୀଙ୍କ ମୃତ୍ୟୁ ଜନିତ ଭୁଲ ତଥ୍ୟକୁ ନେଇ ଅଡୁଆରେ ସରକାର । ରାଜ୍ୟ ସରକାର ମହାତ୍ମା ଗାନ୍ଧୀଙ୍କ 150 ତମ ଜନ୍ମ ଜୟନ୍ତୀ ପାଳୁଥିବାବେଳେ ସରକାରଙ୍କ ଦ୍ଵାରା ମୁଦ୍ରିତ ଏକ ବ୍ରୋଚର (ଲିଫଲେଟ)ରେ ଗାନ୍ଧିଜୀଙ୍କ ମୃତ୍ୟୁ ଦୁର୍ଘଟଣାଜନିତ ବୋଲି ଲେଖାଯାଇଛି । ଏନେଇ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ଦାୟୀ କରିବା ସହ ବିଧାନସଭାରେ ଦଳମତ ନିର୍ବିଶେଷରେ ନିନ୍ଦା କରାଯାଉ ବୋଲି ଦାବି କରିଛନ୍ତି । ସେପଟେ ବିଭାଗୀୟ ମନ୍ତ୍ରୀ ଆସନ୍ତାକାଲି(ଶନିବାର) ଗୃହରେ ସ୍ପଷ୍ଟୀକରଣ ଦେବାକୁ ରୁଲିଂ ଦେଇଛନ୍ତି ବାଚସ୍ପତି । ଗାନ୍ଧୀଙ୍କ ପ୍ରସଙ୍ଗରେ କଂଗ୍ରେସ ଓ ବିଜେଡି ବିଧାୟକମାନେ ଉଦବେଗ ପ୍ରକାଶ କରିଥିବା ବେଳେ ବିଜେପି ନିରବ ପ୍ରତିବାଦ ଯୋଗୁ ଏଥିରେ ଭାଗ ନେଇନଥିଲା ।
ଆଜି ଶୂନ୍ୟକାଳରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ଵାରା ପ୍ରକାଶିତ ଏହି ବ୍ରୋଚରରେ ଗାନ୍ଧୀଙ୍କ ମୃତ୍ୟୁ ସମ୍ପର୍କିତ ଭୁଲ ତଥ୍ୟ ପ୍ରସଙ୍ଗ ଉଠାଇଥିଲେ । ସରକାରଙ୍କ ଦ୍ବାରା ପ୍ରକାଶିତ ଏହି ବ୍ରୋଚରରୁ ଲାଗୁଚି ବିଜେଡି ଦଳର ନୀତି ବଦଳିଗଲାଣି । ବିଜେପିକୁ ଭିତିରି ସମର୍ଥନ କରୁଥିବା ଓ ତାଙ୍କର ବିବାଦୀୟ ବିଲକୁ ସମର୍ଥନ କରୁଥିବା ଦଳ ଏବେ ଗାନ୍ଧିଜୀଙ୍କ ହତ୍ୟାକାରୀକୁ ଭଗବାନ କହୁଥିବା ଗୋଷ୍ଠୀ ଦ୍ବାରା ଅନୁପ୍ରାଣିତ ବୋଲି ସେ ଅଭିଯୋଗ କରିଛନ୍ତି । ଗାନ୍ଧିଜୀଙ୍କ 150 ତମ ଜନ୍ମ ଜୟନ୍ତୀ ଅବସରରେ ଏହା ଜାତିର ପିତାଙ୍କୁ ଉପହାର ନା ଅସମ୍ମାନ ବୋଲି ସେ ପ୍ରଶ୍ନ କରିଛନ୍ତି । ଏଥିପାଇଁ ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ଭାବେ ଦାୟୀ ଏବଂ ସେ ରାଜ୍ୟବାସୀଙ୍କ ପାଖରେ ଉତ୍ତରଦାୟୀ । ସେ ଗୃହରେ କ୍ଷମାପ୍ରାର୍ଥନା କରନ୍ତୁ ନହେଲେ ଇସ୍ତଫା ଦିଅନ୍ତୁ । ଏଥିସହ ବିଧାନସଭାରେ ଦଳମତ ନିର୍ବିଶେଷରେ ନିନ୍ଦା କରାଯାଉ ବୋଲି ନରସିଂହ ଦାବି କରିଛନ୍ତି ।
ଏହି ପ୍ରସଙ୍ଗରେ ବିଜେଡି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ଇତିହାସକୁ ଆଉଥରେ ଲେଖିବାକୁ ଯୁକ୍ତି କରୁଥିବା ଦଳର ଷଡଯନ୍ତ୍ର ବୋଲି କହିଛନ୍ତି । ଏହାସହ ସେ କହିଛନ୍ତି,‘ସ୍ମିତାରାଣୀଙ୍କ ପାଇଁ ଏ ଗୃହ ଉଠୁଛି ପଡୁଛି ଅଥଚ ମହାତ୍ମାଙ୍କ ସମ୍ପର୍କିତ ଭୁଲ ତଥ୍ୟକୁ ଗୁରୁତ୍ବ ଦେଉନି । ଏହା ଗାନ୍ଧିଜୀଙ୍କ ସମ୍ପର୍କରେ ଏକ ଭୁଲ ଅଭିସନ୍ଧି । ଏହାକୁ ନିନ୍ଦା କରାଯିବ ଉଚିତ୍ ।’
ତେବେ ବିଜେଡି ବିଧାୟକ ଶଶୀଭୂଷଣ ବେହେରା ଯୁକ୍ତି ରଖିଥିଲେ ଯେ, ‘ଏନେଇ ନିନ୍ଦା ପ୍ରସ୍ତାବ ଆଣିବା ପୂର୍ବରୁ ବିଭାଗୀୟ ମନ୍ତ୍ରୀ ଗୃହରେ ସ୍ପଷ୍ଟୀକରଣ ଦେବା ଉଚିତ । କାରଣ ଏହା ମୁଦ୍ରଣ ଜନିତ ତ୍ରୁଟି ହୋଇଥାଇପାରେ ।’ ସେପଟେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା, ବିଜେଡି ବିଧାୟକ ଅମର ଶତପଥୀ ମଧ୍ୟ ଏନେଇ ଉଦବେଗ ପ୍ରକାଶ କରିଥିଲେ । ବାଚସ୍ପତି ସରକାରଙ୍କୁ ଆସନ୍ତାକାଲି ଏନେଇ ବିବୃତି ଦେବାକୁ ରୁଲିଂ ଦେଇଛନ୍ତି ।
ଅନ୍ୟପଟେ ବିଜେପି ଏହି ପ୍ରସଙ୍ଗରେ ଆଲୋଚନା କରିନଥିବାବେଳେ ସ୍ମିତାରାଣୀ ମୃତ୍ୟୁ ପ୍ରସଙ୍ଗକୁ ଏଡାଇବା ପାଇଁ ଗାନ୍ଧୀଙ୍କୁ ଢାଲ କରାଯାଇଥିବା ଅଭିଯୋଗ କରିଛି ।
ଭୁବନେଶ୍ବରରୁ ଅଜିତ ଦାଶ, ଇଟିଭି ଭାରତ