ଭୁବନେଶ୍ବର: ରାଜଧାନୀରେ ଏବେ ଡେଙ୍ଗୁ ଆତଙ୍କ । କୋରୋନା ମହାମାରୀ ସମସ୍ୟା ଯାଇନଥିବା ବେଳେ ରାଜଧାନୀବାସୀଙ୍କୁ ଏବେ ଡେଙ୍ଗୁ ଚିନ୍ତା ଘାରିଛି । ଭୁବେନେଶ୍ବରରେ ବିଶେଷ କରିି ବସ୍ତି ଅଞ୍ଚଳରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଶୈଳୀଶ୍ରୀ ବିହାର ଓ ନୀଳାଦ୍ରି ବିହାର ସମେତ ଅନେକ ବସ୍ତି ଅଞ୍ଚଳରେ ବହୁଲୋକେ ଡେଙ୍ଗୁରେ ଆକ୍ରାନ୍ତ ହୋଇ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି।
ରାଜଧାନୀରେ ବିଭିନ୍ନ ନାଳନର୍ଦ୍ଦମା ଠିକ୍ ଭାବରେ ସଫେଇ ହେଉନି ଓ ବସ୍ତି ଗୁଡ଼ିକରେ ନାଳ ପୋତି ହୋଇ ପାଣି ଜମି ରହୁଛି ତେଣୁ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଅନ୍ୟପଟେ ଡେଙ୍ଗୁ ଓ କୋଭିଡ-19ର ଲକ୍ଷଣ ପାଖାପାଖି ସମାନ ହେଉଥିବା ବେଳେ ଲୋକେ ଭୁଲ ଔଷଧ ଖାଇ ଅଧିକ ସମସ୍ୟାରେ ପଡ଼ୁଥିବା ଅଭିଯୋଗ ହୋଇଛି ।
ରାଜଧାନୀରେ ଦିନକୁ ଦିନ ଡେଙ୍ଗୁ ବିସ୍ତାରକୁ ନେଇ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ସେ ବିଏମସି ଉପରେ ଅସନ୍ତୋଷ ଜାହିର କରି କହିଛନ୍ତି ଯେ, "BMC କେବଳ ସଚେତନତା ଅଭିଯାନ ନକରି ଡ୍ରେନ ସଫା କରୁ ତା ସହିତ ମଶା ମରା ଧୂଆଁ ଦେବା ଉପରେ ଗୁରୁତ୍ୱ ଦେଉ।"
ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ