ଭୁବନେଶ୍ବର: କମୁଛି ସଂକ୍ରମଣ କମୁନାହିଁ ମୃତ୍ୟୁସଂଖ୍ୟା । ଦିନକୁ ଦିନ ରାଜ୍ୟରେ ବଢିଚାଲିଛି କୋରୋନାଜନିତ ମୃତ୍ୟୁସଂଖ୍ୟା । ଆଜି(ରବିବାର) ଦିନକରେ ୬୪ ଜଣଙ୍କ ଜୀବନ ନେଇଛି ମହାମାରୀ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୬ ଜଣଙ୍କ ମୃତ୍ୟୁ ହୋଇଛି ।
ଆଜିର ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୧୬ଜଣ କଟକରୁ ୧୨, ନୟାଗଡ଼ରୁ ୧୩, ସମ୍ବଲପୁରରୁ ୫, ପୁରୀରୁ ୨, ସୁବର୍ଣ୍ଣପୁରରୁ ୪ ଏବଂ ବାଲେଶ୍ବରର, ବରଗଡ଼, ବଲାଙ୍ଗୀର, ବୌଦ୍ଧ, ଦେବଗଡ଼, ଢେଙ୍କାନାଳ, ଗଜପତି, ଯାଜପୁର, କନ୍ଧମାଳ, କେନ୍ଦ୍ରାପଡ଼ା, ମୟୂରଭଞ୍ଜ ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏଁ ଆକ୍ରାନ୍ତ ଆଖି ବୁଜିଛନ୍ତି ।
ଆଜିର ମୃତ୍ୟୁ ରିପୋର୍ଟକୁ ମିଶାଇ ରାଜ୍ୟରେ ରାଜ୍ୟରେ କୋରୋନା ଜନିତ ମୃତ୍ୟୁ ସଂଖ୍ୟା ୬୮୮୭କୁ ବୃଦ୍ଧି ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧,୩୮୫ରେ ପହଞ୍ଚି ଯାଇଛି, ଯାହା ସାରା ରାଜ୍ୟରେ ସବୁଠୁ ଅଧିକ । ସଂକ୍ରମଣ କମିଲେ ବି ବିପଦ ଟଳିନାହିଁ । ୧,୦୫୮ଟି ନୂଆ କେସ୍ ସହିତ ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୯୪ ହଜାର ୫୬୫ରେ ପହଞ୍ଚି ଯାଇଛି। ସେମାନଙ୍କ ମଧ୍ୟରୁ ୯ ଲକ୍ଷ ୭୭ ହଜାର ୧୯୭ ଜଣ ସୁସ୍ଥ ହୋଇସାରିଥିବା ବେଳେ ୧୦ ହଜାର ୪୨୮ ଜଣ ଚିକିତ୍ସାଧୀନ ଅଛନ୍ତି। ମହାମାରୀର ମୁକାବିଲା କରିବାକୁ ହେଲେ ଆହୁରି ଅଧିକ ସତର୍କତା ଅବଲମ୍ବନ କରିବାକୁ ପଡିବ ।
ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ