ଭୁବନେଶ୍ବର: ଗତ କିଛିଦିନ ହେବ କୋରୋନା ମୃତ୍ୟୁ ରିପୋର୍ଟରୁ ଟିକେ ଆଶ୍ବସ୍ତି ମିଳିଛି । ଦୈନିକ ମୃତ୍ୟୁସଂଖ୍ୟା ୫ ତଳେ ରହୁଛି । ଆଜି(ସୋମବାର) ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଇଛି ମହାମାରୀ କୋରୋନା ।
ସ୍ବାସ୍ଥ୍ୟ ବିଭାଗର ରିପୋର୍ଟ ଅନୁସାରେ ଆଜିର ମୃତକଙ୍କ ମଧ୍ୟରେ ସୁନ୍ଦରଗଡରୁ ୨ଜଣ ଓ ଖୋର୍ଦ୍ଧା, ଝାରସୁଗୁଡା ଓ ବରଗଡରୁ ଜଣେ ଲେଖାଏଁ ଆକ୍ରାନ୍ତ ରହିଛନ୍ତି । ଏହାକୁ ମିଶାଇ ସୁନ୍ଦରଗଡରେ ୫୮୯, ଖୋର୍ଦ୍ଧାରେ ୧୫୨୯, ଝାରସୁଗୁଡାରେ ୧୭୬ ଓ ବରଗଡରେ ୩୩୫ରେ ପହଞ୍ଚିଛି ମୃତକଙ୍କ ସଂଖ୍ୟା । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନାଜନିତ ମୃତ୍ୟୁସଂଖ୍ୟା ୮୨୯୦କୁ ବୃଦ୍ଧି ହୋଇଛି ।
ଅନ୍ୟପଟେ ଗତ ୨୪ ଘଣ୍ଟାରେ ୩୪୦ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ୫୦ ଜଣ ୧୮ ବର୍ଷରୁ କମ୍ ଶିଶୁ ଓ କିଶୋର-କିଶୋରୀ କୋରୋନାରେ ସଂକ୍ରମିତ । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୩୫ ହଜାର ୪୧୭ ରେ ପହଞ୍ଚିଛି । ରାଜ୍ୟରେ ସଂକ୍ରମଣ କମିବା ସହିତ ବର୍ତ୍ତିତ ମୃତ୍ୟୁରେ ମଧ୍ୟ ବ୍ରେକ ଲାଗିଛି । ଶୀତ ଋତୁରେ ସଂକ୍ରମଣ ବୃଦ୍ଧି ପାଇବାର ଆଶଙ୍କା ରହିଛି । ସାମାନ୍ୟ ଅସାବଧାନତା ବିପଦକୁ ଡାକିପାରେ । ଏ ଦିଗରେ ଅଧିକ ସଚେତନ ରହିବାକୁ ପଡିବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ