ଭୁବନେଶ୍ବର: ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ସରକାର ଗତକାଲି ଶ୍ଵେତପତ୍ର ବିଧାନସଭାରେ ଉପସ୍ଥାପନ କରିଛନ୍ତି । ଆସନ୍ତା କାଲି ଶ୍ବେତପତ୍ର ଉପରେ ଗୃହରେ ଆଲୋଚନା ହେବ, କିନ୍ତୁ ତା ପୂର୍ବରୁ ସରକାର ବିରୋଧୀ ମୁହାଁମୁହିଁ ହୋଇଛନ୍ତି । ଏହି ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ବିରୋଧୀ ପ୍ରସ୍ତୁତ ହେଉଥିବା ବେଳେ ବରିଷ୍ଠ କଂଗ୍ରେସ ବିଧାୟକ ନରସିଂହ ମିଶ୍ର କହିଛନ୍ତି ଶ୍ବେତପତ୍ରରେ ସରକାର ଅନେକ କିଛି ଲୁଚାଇଛନ୍ତି ।
ପୂର୍ବରୁ ଗତ 3ବର୍ଷର ଏକ ତୁଳନାତ୍ମକ ଚିତ୍ର ଦିଆଯାଉଥିଲା । ଏକ ଚାର୍ଟ ପ୍ରସ୍ତୁତ କରାଯାଇ ସଂକ୍ଷେପରେ ତଥ୍ୟ ପ୍ରଦାନ କରାଯାଉଥିଲା କିନ୍ତୁ ଏଥର ସେମିତି କିଛି ହୋଇ ନାହିଁ ଏଥିରୁ ସ୍ପଷ୍ଟ ସରକାର କିଛି ଲୁଚାଇବାକୁ ପ୍ରଚେଷ୍ଟା କରିଛନ୍ତି ।
ଅନ୍ୟପଟେ ନରସିଂହଙ୍କ ଅଭିଯୋଗର ଜବାବ ରଖିଛନ୍ତି ଶାସକ ଦଳର ବିଧାୟକ ଶଶୀଭୂଷଣ ବେହେରା । ସେ କହିଛନ୍ତି ରାଜ୍ୟ ସରକାର ପୂର୍ବ ବର୍ଷର ତଥ୍ୟ ଦେଇଛନ୍ତି, ତୁଳନାତ୍ମକ ଚିତ୍ର ରହିଛି ଶ୍ବେତ ପତ୍ରରେ । ବିଧାୟକ ମାନିଛନ୍ତି ରାଜ୍ୟରେ ଅପରାଧ ସଂଖ୍ୟା ବଢିଛି । କିନ୍ତୁ ଜାତୀୟ ହାର ତୁଳନାରେ ରାଜ୍ୟରେ କମ ରହିଛି ।
ଭୁବନେଶ୍ବରରୁ ଜ୍ଞାନଦର୍ଶା ସାହୁ, ଇଟିଭି ଭାରତ