ଭୁବନେଶ୍ବର : NBW ଧାରୀଙ୍କୁ ପୋଲିସର ଛାଟ । ଏଥର ନାହିଁ ତ୍ରାହି । ସିଧା ଉଠାଇ ନେଉଛି ପୋଲିସ। ଯେଉଁଠି ପାରୁଛି ସେଇଠୁ ଉଠାଇ ନେଉଛି । ଏଭଳି ଆକସନ ଗତ ୫ତାରିଖରୁ ଆରମ୍ଭ ହୋଇଛି । ଏହି ସ୍ପେଶାଲ ଡ୍ରାଇଭ ଆଗାମୀ ୧୨ତାରିଖ ଯାଏଁ ଜାରି ରଖିବ ପୋଲିସ ।
ଭୁବନେଶ୍ୱରରେ NBW ଥିଲେ ସିଧା ଘରେ ପହଁଞ୍ଚୁଛି ପୋଲିସ । ଆଉ ଯେମିତି ପାରୁଛି ସେମିତି ଉଠାଇ ନେଉଛି । ଏପରିକି ଜମି ମାଫିଆ ହେଉ ବା ବିଜନେସ ମ୍ୟାନ। ଜଘନ୍ୟ ଅପରାଧ କରି ଲୁଚିଥିଲେ ବି ଖୋଜି ଖୋଜି ପାଖରେ ପହଁଞ୍ଚୁଛି ପୋଲିସ । ନୂଆ ଡିସିପିଙ୍କ ନିର୍ଦ୍ଦେଶ କ୍ରମେ ପେଣ୍ଡିଂ ଥିବା ଓ୍ବାରେଣ୍ଟ ଆଧାରରେ ଏକଜ୍ୟୁକ୍ୟୁଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯାହାର ଆଧାରରେ ଗତ ୫ ଦିନରେ ବନ୍ଧା ହେଲେଣି ୧୫୮ ଜଣ ଓ୍ବାରେଣ୍ଟି । ଏଯାବତ ସହିଦନଗରେ ସର୍ବାଧିକ ୨୪, ୱାରେଣ୍ଟି ଚନ୍ଦକା ୧୭, ଲକ୍ଷ୍ମୀସାଗର ୧୭, ଜଟଣୀ ୧୬, ନୟାପଲ୍ଲୀରେ ୧୩, ବଡଗଡ଼ ଥାନାରେ ୧୬ ଜଣ ଲେଖାଏଁ ସହ ସବୁ ଥାନାରୁ ଥିବା NBW ଧାରୀଙ୍କୁ ଏକଜ୍ୟୁକ୍ୟୁଟ କରାଗଲାଣି । କାରଣ ପୋଲିସର ଟାର୍ଗେଟରେ ଅଛନ୍ତି ୬୧୮ଜଣ ।
କୋର୍ଟରୁ ୨୫ଟି ଥାନାକୁ ୩୩୨୬ ଜଣଙ୍କ ନାଁରେ ୱାରେଣ୍ଟ ଇସ୍ୟୁ ହୋଇଛି । ସେହିପରି ୨୫ ଥାନାରେ ୨୦୭୧ଟି ଓ୍ବାରେଣ୍ଟ ପଡି ରହିଛି । ତେବେ ଏହି ସବୁ ତଥ୍ୟ ଆଧାରରେ ଯେଉଁ ଥାନା ଅଧୀନରେ ଯେତିକି NBW ରହିଛି ସେମାନଙ୍କୁ ଏକାଠି କରାଯାଉଛି କିଏ ଥାନାରୁ ନୋଟିସରେ ଯାଉଛନ୍ତି କାହାକୁ ରିକଲ କରାଯାଉଛି ।
ଏହିସବୁ NBW ଇସ୍ୟୁ ହୋଇଥିବା ଲୋକଙ୍କ ବିରୋଧରେ କାହା ନାଁରେ ଜମି ଠକେଇ ବା କାହାକୁ ଟଙ୍କା ଠକି ନେଇଥିବା ଭଳି ଅଭିଯୋଗ ରହିଛି। କିଏ ବାରମ୍ବାର କୋର୍ଟ ସମନ ପରେ ଧରାଛୁଆଁ ଦେଉନି ଯାହାକୁ ଏପରି ଓ୍ବାରେଣ୍ଟ ଜାରି କରାଯାଇଛି। କିଏ ହାର୍ଡ କୋର କ୍ରିମିନାଲ ରହିଛନ୍ତି ଅପରାଧ କରି ଲୁଚି ରହିଛନ୍ତି । ଅଭିଯୁକ୍ତଙ୍କ ନାଁରେ ଏପରି NBW ଜାରି ହୋଇଥିଲେ ସେମାନଙ୍କୁ ଧରିବା ପାଇଁ ଏପରି ଡ୍ରାଇଭ ନିହାତି ଆବଶ୍ୟକ ।
NBW ବା ଜାମିନବିହୀନ ପରଓ୍ବାନା ଥିବା ଅପରାଧୀଙ୍କୁ ଧରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥାନ୍ତି । ଯେଉଁମାନେ କୋର୍ଟରେ ବିଭିନ୍ନ କେସରେ ଅଭିଯୁକ୍ତ ଅଟନ୍ତି । ଅନେକ ସମୟରେ NBW ଥିବା ଅନେକ ଅପରାଧୀ ସର୍ବସାଧାରଣରେ ବୁଲୁଥିଲେ ବି ପୋଲିସ ସେମାନଙ୍କୁ ଧରୁନଥିବା ସୂଚନାରୁ ପ୍ରକାଶ । ନିରୀହ ଲୋକଙ୍କୁ ଠକି ବୁଲୁଥିବା ବା ଅପରାଧ ଘଟାଇ ଲୁଚିଥିବା ଏହି ଅପରାଧୀଙ୍କୁ କିପରି ଦଣ୍ଡ ଦେବାରେ ସଫଳ ହେଉଛନ୍ତି କୋର୍ଟ ତାହା ଦେଖିବାକୁ ବାକି ରହିଲା ।
ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ