ଭୁବନେଶ୍ବର: କୋରୋନା ପାଇଁ ସାରା ବିଶ୍ବ କଲବଲ । କୋଭିଡ୍ରୁ ମୁକୁଳିବା ପାଇଁ ଆପଣାଯାଉଛି ବିଭିନ୍ନ କୌଶଳ । ରୋଗରୁ ମୁକ୍ତି ପାଇଁ ଦେଶରେ ଚାଲିଛି ଭ୍ୟାକ୍ସିନ ପରୀକ୍ଷା । ସେପଟେ ଆକ୍ରାନ୍ତରୁ ସୁସ୍ଥ ହେବା ପାଇଁ ଆଶାର କିରଣ ପାଲଟିଛି ପ୍ଲାଜମା ଥେରାପୀ ।
କୋଭିଡକୁ ମାତ୍ ଦେଇ ସୁସ୍ଥ ହେଉଥିବା ବ୍ୟକ୍ତି ପ୍ଲାଜମା ଦାନ କରି ଅନ୍ୟ ରୋଗୀଙ୍କୁ ଆରୋଗ୍ୟ କରୁଥିବା ଦେଖିବାକୁ ମିଳୁଛି । ଏହାରି ଭିତରେ ରାଜ୍ୟରେ ମଧ୍ୟ ପ୍ଲାଜମା ଥେରାପୀରେ ଚିକିତ୍ସା ଆରମ୍ଭ ହୋଇଛି । ଏଥିପାଇଁ ସରକାର ଟିମ୍ ଗଠନ କରିଥିବାବେଳେ ଗୁରୁବାର ସୁଦ୍ଧା 1000ରୁ ଅଧିକ ଆକ୍ରାନ୍ତଙ୍କୁ ପ୍ଲାଜମା ଥେରାପୀ ତଥା ଚିକିତ୍ସା ଯୋଗାଇ ଦିଆଯାଇଛି । ଯାହା ଏକ ମାଇଲଖୁଣ୍ଟ ହୋଇଥିବାବେଳେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏଥିପାଇଁ ଶୁଭେଚ୍ଛା ଜଣାଯାଇଛି ।
ଜୁଲାଇ ମାସରେ ଆଇସିଏମଆର ପ୍ଲାଜମା ଥେରାପୀକୁ ଅନୁମୋଦନ କରିବା ପରେ ରାଜ୍ୟ ସରକାର ଜୁଲାଇ 7 ତାରିଖରେ ଏହାକୁ ଓଡିଶାରେ ଲାଗୁ କରିବାକୁ ନିଷ୍ପତ୍ତି ନେଇଥିଲେ । ପରେ ଏକ କମିଟି ଗଠନ କରାଯାଇ ଜୁଲାଇ ଶେଷ ସୁଦ୍ଧା ପ୍ରଥମେ କଟକ ଏସସିବି ମେଡିକାଲ ଓ କଲେଜରେ ପ୍ଲାଜମା ବ୍ୟାଙ୍କ ଆରମ୍ଭ କରାଯାଇଥିଲା । ପରେ ସୁସ୍ଥ ହୋଇ ଘରକୁ ଫେରୁଥିବା ଲୋକଙ୍କୁ ପ୍ଲାଜମା ଦାନ କରିବାକୁ କୁହାଯାଇଥିଲା । ରାଜ୍ୟରେ ବ୍ୟାପକ ମାତ୍ରାରେ ସଚେତନ ମଧ୍ୟ କରାଯାଇଥିଲା । ଫଳରେ ବର୍ତ୍ତମାନ ସୁଦ୍ଧା ହଜାରରୁ ଅଧିକ ପ୍ଲାଜମା ଚିକିତ୍ସା ସମ୍ଭବ ହୋଇପାରିଛି ବୋଲି କୁହାଯାଉଛି ।
ତେବେ ପ୍ଲାଜମା ଥେରାପୀ ଶରୀର ପ୍ରତି କେତେ ଭଲ, କେତେ ଖରାପ ? ଏହା କଣ ସମସ୍ତଙ୍କୁ ଭଲ କରିଦିଏ ? ନା ଏହାର କିଛି ପାର୍ଶ୍ବ ପ୍ରତିକ୍ରିୟା ରହିଛି ? ଯଦି ଏହା ସମସ୍ତଙ୍କୁ ଭଲ କରିଦେଉଛି, ତେବେସାରା ବିଶ୍ବ ଏହାକୁ ଆପଣାଉ ନାହିଁ କାହିଁକି ? ଏସବୁ ପ୍ରଶ୍ନର ଉତ୍ତର ପାଇବା ପାଇଁ ଆସନ୍ତୁ ଜାଣିବା ଏନେଇ ବିଶେଷଜ୍ଞମାନେ କଣ କହୁଛନ୍ତି...
ସମସ୍ତ ରୋଗୀଙ୍କୁ ସୁଫଳ ଦେବନି ପ୍ଲାଜମା ଥେରାପୀ
କୋରୋନା ଦାଉରୁ ରକ୍ଷା ପାଇବା ପାଇଁ ପ୍ଲାଜମା ଥେରାପୀକୁ ଏକ ଚିକିତ୍ସା ଭାବେ ଗ୍ରହଣ କରାଯାଇଥିବାବେଳେ ଏହା ସମସ୍ତ ରୋଗୀଙ୍କୁ ସୁଫଳ ଦେବ ନାହିଁ ବୋଲି ସମ ହସ୍ପିଟାଲର ନିର୍ଦ୍ଦେଶକ ଅଶୋକ ମହାପାତ୍ର କହିଛନ୍ତି । କିଛି ଲୋକଙ୍କ କ୍ଷେତ୍ରରେ ଏହା ଫଳପ୍ରଦ ହେବ ଓ କିଛି ଲୋକଙ୍କ କ୍ଷେତ୍ରରେ ଏହା ଫଳପ୍ରଦ ହେବ ନାହିଁ ବୋଲି ସେ କହିଛନ୍ତି ।
ଯେଉଁ ଡାକ୍ତରମାନେ ପ୍ଲାଜମା ଦେଉଛନ୍ତି ସେମାନେ ଜାଣିବା ଉଚିତ୍ ଯେ, କେଉଁ କ୍ଷେତ୍ରରେ ଏହା କାମ କରିବ ଅର୍ଥାତ କାହା ଦେହରେ ଏହା କାମ କରିବ କାହା ଦେହରେ ନାହିଁ । ସେଦୃଷ୍ଟିରୁ ଚିକିତ୍ସା କରିବା ଉଚିତ୍ ବୋଲି ସେ ଦର୍ଶାଇଛନ୍ତି । ଏହାସହ ଏହା ସମସ୍ତଙ୍କ କ୍ଷେତ୍ରରେ କାମ କରିବ ବା ସମସ୍ତଙ୍କ କ୍ଷେତ୍ରରେ କାମ କରିବ ନାହିଁ ତାହା ମଧ୍ୟ କହିବା ଠିକ୍ ନୁହେଁ ବୋଲି ସେ ଜଣାଇଛନ୍ତି ।
ପ୍ଲାଜମା ଥେରାପୀ ପରେ ଲୋକଙ୍କ ଦେହରେ ରିଆକ୍ସନ ହେଉଛି
ପ୍ଲାଜମା ଥେରାପୀକୁ ଚାରିଆଡେ ଚର୍ଚ୍ଚା ହେଉଥିବାବେଳେ ଏହା କିଛି ଲୋକଙ୍କ ଦେହରେ ରିଆକ୍ସନ କରୁଥିବା ଡାକ୍ତର ସନ୍ତୋଷ ମିଶ୍ର କହିଛନ୍ତି । ଏକଥା WHO କହିଥିବା ସେ କହିବା ସହ ପ୍ଲାଜମା ଦେଲେ ଯେତିକି ଲୋକ ଭଲ ହେଉଛନ୍ତି, ପ୍ଲାଜମା ନଦେଲେ ମଧ୍ୟ ସେତିକି ଲୋକ ଭଲ ହେଉଛନ୍ତି ବୋଲି ସେ କହିଛନ୍ତି ।
ଏହାସହ ଓଡିଶାରେ ଯେପରି ଭାବେ ପ୍ଲାଜମା ଥେରାପୀକୁ ନେଇ ଏକ ସଚେତନ କାର୍ଯ୍ୟକ୍ରମ କରାଯାଇଛି ତାହା ଠିକ୍ ନୁହେଁ ବୋଲି ମଧ୍ୟ ସେ ପରୋକ୍ଷରେ କହିଛନ୍ତି ।
ସୂଚନାଥାଉକି, ରାଜ୍ୟରେ କଟକର ଏସସିବି, ଭୁବନେଶ୍ବରର କ୍ୟାପିଟାଲ ହସ୍ପିଟାଲ ଓ ରାଉରକେଲା ପରି ସହରରେ ପ୍ଲାଜମା ବ୍ୟାଙ୍କ ଆରମ୍ଭ ହୋଇଛି । ରାଜ୍ୟରେ ଆଗାମୀ ଦିନରେ ଅଧିକ ପ୍ଲାଜମା ବ୍ୟାଙ୍କ କରାଯିବ ବୋଲି ଜଣାପଡିଛି ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ