ଭୁବନେଶ୍ବର: କାନ୍ଥରୁ ବିବାହର ରଙ୍ଗ ଲିଭିନି । କି ଘରୁ କୁଣିଆ ଯାଇନାହାନ୍ତି । ଗହଳି ଚହଳି ପରିବାର ଏବେ ଫାଟୁଛି କାନ୍ଦ ବୋବାଳିର ସ୍ବର । କିଏ ପୁଅକୁ ଝୁରୁଛି ତ କିଏ ବୋହୁକୁ । କାରଣ ପୁଅ ରାକେଶ ଆଉ ବୋହୁ ମୀନାକ୍ଷୀ ଆଉ ନାହାନ୍ତି ଏ ଦୁନିଆରେ । ଲିଭିଯାଇଛି ସେମାନଙ୍କ ଜୀବନ ଦୀପ । ଏପରି ଅଘଟଣ ଘଟିଛି ଲିଙ୍ଗରାଜ ଥାନା ଅଞ୍ଚଳର କେଉଟସାହି ରାକେଶ ରାଉତଙ୍କ ପରିବାରରେ । ତେବେ ମୃତଦେହ ଉଦ୍ଧାର କରିଛି ଲିଙ୍ଗରାଜ ଥାନା ପୋଲିସ ।
ଖବରମୁତାବକ, ସବୁଦିନ ପରି ଖୋଲୁଥିବା କବାଟ ନ ଖୋଲିବାରୁ ଘର ଲୋକେ ଭାଙ୍ଗି ଖୋଲି ଥିଲେ କବାଟ । ଆଉ ତା ପରେ ହୋସ ଉଡିଯାଇଥିଲା ପରିବାର ଲୋକଙ୍କର । କବାଟ ଖୋଲିବା ପରେ ଦେଖିବାକୁ ପାଇଲେ ପଙ୍ଖାରେ ଝୁଲୁଥିଲେ ପୁଅ ରାକେଶ ଆଉ ବୋହୁ ମୀନାକ୍ଷୀର ମୃତଦେହ ।
ତେବେ କାହିଁକି ଘଟିଗଲା ଏପରି ଅଘଟଣ । କାହିଁକି ରାକେଶ ଆଉ ମୀନାକ୍ଷୀ ନେଲେ ଏପରି ଚରମ ପଦକ୍ଷେପ। ଏହା ପଛରେ କାରଣ ପାରିବାରିକ ନା ବୈବାହିକ କଳହ ନା ପ୍ରେମ ବିବାହ କରିଥିବା ଉଭୟ ଦମ୍ପତିଙ୍କ ମଧ୍ୟରେ ଥିଲା ଆଉ କିଛି କାରଣ ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ