ଭୁବନେଶ୍ବର: ଚୁକ୍ତିଭିତ୍ତିରେ ନିଯୁକ୍ତ କର୍ମଚାରୀଙ୍କ ଲାଗି ରାଜ୍ୟ ସରକାରଙ୍କ ବଡ଼ ଘୋଷଣା । ବିଭିନ୍ନ ବିଭାଗରେ ଆଉଟସୋର୍ସିଂ ସଂସ୍ଥା ଜରିଆରେ ତଥା ଚୁକ୍ତିଭିତ୍ତିରେ ନିୟୋଜିତ କର୍ମଚାରୀଙ୍କର ପାରିଶ୍ରମିକ ୨୫ ପ୍ରତିଶତ ବୃଦ୍ଧି କରିଛନ୍ତି ସରକାର । ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଓଡିଶା ସରକାରଙ୍କ ବିଭିନ୍ନ ବିଭାଗରେ ନିୟୋଜିତ ପ୍ରାୟ ୩୩ ହଜାର କର୍ମଚାରୀ ଏହାଦ୍ବାରା ଲାଭାନ୍ବିତ ହେବେ । ଏଥିପାଇଁ ରାଜ୍ୟ ସରକାରଙ୍କୁ ବାର୍ଷିକ ଅଧିକ ୧୦୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡିବ ।
ଆଉଟସୋର୍ସିଂ ଓ ଚୁକ୍ତିଭିତ୍ତିରେ ନିୟୋଜିତ ଏହି କର୍ମଚାରୀଙ୍କର ଇ.ପି.ଏଫ ଓ ଇ.ଏସ୍.ଆଇ ପରି ବୈଧାନିକ ଦେୟ ସମ୍ପୃକ୍ତ ସଂସ୍ଥା ପୈଠ କରିବାକୁ ଥବାବେଳେ ସେମାନେ କାମ କରୁଥିବା ବିଭାଗର କର୍ତ୍ତୃପକ୍ଷ ଏହା ସୁନିଶ୍ଚିତ କରିବେ । ଉପରୋକ୍ତ ବୈଧାନିକ ଦେୟ ପୈଠ କରିବାରେ ହେଳା କରୁଥିବା ସଂସ୍ଥା ଗୁଡିକ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଏତଦ୍ବ୍ୟତୀତ ସେମାନଙ୍କୁ ବର୍ଷକୁ ସର୍ବାଧିକ ୧୨ ଦିନ ଛୁଟି ମଞ୍ଜୁର କରିବା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଗର୍ଭବତୀ ମହିଳା କର୍ମଚାରୀଙ୍କ କ୍ଷେତ୍ରରେ ମାତୃତ୍ବ ଛୁଟି ପ୍ରଦାନ ବିଷୟ ବିଚାର କରି ଯଥାଶୀଘ୍ର ନିଷ୍ପତ୍ତି ନେବା ପାଇଁ ମୁଖ୍ୟମନ୍ତ୍ରୀ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ମଧ୍ୟ ଦେଇଛନ୍ତି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିିଭି ଭାରତ