ଭୁବନେଶ୍ବର: କଂଗ୍ରେସ ଚଳିତ ପଞ୍ଚାୟତ ନିର୍ବାଚନରେ ଯୁବ ବର୍ଗଙ୍କୁ ପ୍ରାଧାନ୍ୟ ଦେବ । ଏନେଇ ଆଜି ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ ।
ଆଗକୁ ଆସୁଛି ପଞ୍ଚାୟତ ନିର୍ବାଚନ । ବିଜେଡି ଶିବିରରେ ସଜବାଜ ଜୋର ଧରିଥିବାବେଳେ ବିରୋଧୀ ବିଜେପି ମଧ୍ୟ ତୃଣମୂଳ ସ୍ତରରେ ସଂଗଠନକୁ ସୁଦୃଢ କରି ପଞ୍ଚାୟତ ଗୁଡିକୁ ନିଜ ଅକ୍ତିଆରକୁ ନେବାକୁ ଅଣ୍ଟା ଭିଡିଛି । ସେପଟେ କଂଗ୍ରେସ ମଧ୍ୟ ପ୍ରତି ୱାର୍ଡରେ ସଂଗଠନକୁ ସଜାଡି ଘରକୁ ଘର ବୁଲି ସରକାରଙ୍କ ବିଫଳତାକୁ ଆୟୁଧ କରି ନିର୍ବାଚନ ବୈତରଣୀ ପାରି ହେବାକୁ ଯୋଜନା ରଖିଛି । ବିଜେଡି ମହିଳା ସଂରକ୍ଷଣ ଓ ଓବିସି ନେଇ କାର୍ଡ ଖେଳୁଥିବାବେଳେ କଂଗ୍ରେସ ଯୁବ ବର୍ଗଙ୍କୁ ଗୁରୁତ୍ବ ଦେବାକୁ ସ୍ଥିର କରିଛି ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି ।
ଚଳିତ ନିର୍ବାଚନରେ 80 ପ୍ରତିଶତ ଯୁବ ବର୍ଗଙ୍କୁ ଟିକେଟ ଦିଆଯିବ ବୋଲି ସୁର କହିଛନ୍ତି । ଯୁବ ବର୍ଗଙ୍କୁ ପ୍ରାଧାନ୍ୟ ଦିଆଯିବା ନେଇ ସ୍ଥିର ହୋଇଛି । ଶିକ୍ଷିତ ଯୁବ ବର୍ଗଙ୍କୁ ଦଳ ଗୁରୁତ୍ବ ଦେବ । ବିଜେଡି ସରକାର ସରକାରୀ କର୍ମଚାରୀଙ୍କ କାନ୍ଧରେ ବନ୍ଧୁକ ରଖି ନିର୍ବାଚନ ବୈତରଣୀ ପାର ହେଉଛନ୍ତି ବୋଲି ସୁର କହିଛନ୍ତି ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ