ଭୁବନେଶ୍ବର: ସାଧାରଣ ନିର୍ବାଚନ ପରେ ଏବେ ସମସ୍ତ ରାଜନୈତିକ ଦଳଙ୍କ ଘରସଜଡା ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ରାଜ୍ୟରେ ପୁଣିଥରେ କଂଗ୍ରେସର ପୂର୍ବବସ୍ଥା ଫେରାଇ ଆଣିବାକୁ ଏବେ ଦଳ ଅଣ୍ଟାଭିଡିଛି । ଏଥିପାଇଁ ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂ 4 ଦିନିଆ ଓଡିଶା ଗସ୍ତରେ ଆସି ତୁହାକୁ ତୁହା ବୈଠକ କରୁଛନ୍ତି ।
ଗତ ଦୁଇଦିନ ଧରି ପଶ୍ଚିମ ଓଡିଶାର ବିଭିନ୍ନ ଜିଲ୍ଲାର ନେତା କର୍ମୀଙ୍କ ସହ ଆଲୋଚନା ସମ୍ବଲପୁରରେ କରିବା ପରେ ଆଜି କଂଗ୍ରେସ ଭବନରେ 4ଟି ଜିଲ୍ଲା ଢେଙ୍କାନାଳ, ଅନୁଗୁଳ, କେନ୍ଦୁଝର ଏବଂ ମୟୁରଭଞ୍ଜ ନେତା କର୍ମୀଙ୍କ ସହ ଆଲୋଚନା କରିଛନ୍ତି । ଏହି ଆଲୋଚନା ଶୁକ୍ରବାର ମଧ୍ୟ ହେବ । ଶୁକ୍ରବାର ଦିନ ରାଜ୍ୟର ଉପକୂଳବର୍ତ୍ତୀର ପାଞ୍ଚଟି ଜିଲ୍ଲାର ନେତା, କର୍ମୀଙ୍କ ସହ ଆଲୋଚନା ହେବ ।
ଆଗାମୀ ଦିନରେ କଂଗ୍ରେସ କିପରି କ୍ଷମତାକୁ ଆସିବ ସେନେଇ ମତାମତ ଲୋଡିଛନ୍ତି। ଯେହେତୁ ଆଗକୁ ଜିଲ୍ଲା ସଭାପତି ନିର୍ବାଚନ ହେବାକୁ ଯାଉଛି ସେ ନେଇ ସମସ୍ତଙ୍କ ମତାମତ ସଂଗ୍ରହ ଦଳ କରୁଛି ।
କଂଗ୍ରେସ ଆଭ୍ୟନ୍ତରୀଣ ମହଲରୁ ମିଳିଥିବା ସୂଚନା ଅନୁସାରେ ଏଥର ଜିଲ୍ଲା ସଭାପତି ନିର୍ବାଚନରେ ଯୁବକ ଓ ମହିଳାଙ୍କୁ ଅଗ୍ରାଧୀକାର ମିଳିବ । ସେହିପରି ଦଳପ୍ରତି ଆନୁଗତ୍ୟକୁ ମଧ୍ୟ ପ୍ରାଧାନ୍ୟ ଦେବ ଦଳ । ଯଦ୍ବାରା କଂଗ୍ରେସ ଲୋକଙ୍କ ବିଶ୍ବାସ ଫେରିପାଇବ ବୋଲି ଦଳ ବିଚାର କରୁଛି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ସଞ୍ଜୀବ ରାୟ, ଇଟିଭି ଭାରତ