ଭୁବନେଶ୍ବର: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଦୁଇଦିନିଆ ଓଡିଶା ଗସ୍ତ ସାରି ଫେରିଯାଇଛନ୍ତି । ଗସ୍ତ ଅବସରରେ ଗୃହମନ୍ତ୍ରୀ ସରକାରୀ ଓ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଏହାସହ ପୁରୀ ଯାଇ ମହାପ୍ରଭୁ ଓ ଭୁବନେଶ୍ବରରେ ଲିଙ୍ଗରାଜଙ୍କୁ ଦର୍ଶନ କରିଥିଲେ ।
ତେବେ ଶୁକ୍ରବାର ଦଳୀୟ କାର୍ଯ୍ୟକ୍ରମରେ ସିଏଏ ସପକ୍ଷରେ ଉଦବୋଧନ ଦେଇ କଂଗ୍ରେସ ଉପରେ ଜୋରଦାର ବର୍ଷିଥିଲେ । କଂଗ୍ରେସକୁ ସମାଲୋଚନା କରିବାକୁ ଯାଇ କଂଗ୍ରେସର 55 ବର୍ଷର ଶାସନ ଓ ମୋଦିଙ୍କ ପାଞ୍ଚବର୍ଷ କୁ ଉଲ୍ଲେଖ କରିଥିଲେ । ଏହାସହ ଉପା ସରକାର ଓ ଏନଡିଏ ସରକାର ଦେଇଥିବା ଅର୍ଥର ମଧ୍ୟ ତଥ୍ୟ ରଖିଥିଲେ ଶାହା ।
କଂଗ୍ରେସକୁ ଶାହାଙ୍କ ଅଭିଯୋଗର ଜବାବ ରଖିଛି ରାଜ୍ୟ କଂଗ୍ରେସ । ଆଜି ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ବିଧାୟକ ସୁର ରାଉତରାୟ କହିଛନ୍ତି "୮ ମାସ ତଳେ ଓଡିଶାରେ ନବୀନଙ୍କୁ ପୋଡା ଟ୍ରାନ୍ସଫର୍ମର କହିଥିଲେ , କିନ୍ତୁ ନବୀନ ବାବୁ ତାଙ୍କୁ ଘରେ ଡାକି ଖାଇବାକୁ ଦେଉଛନ୍ତି । ଆଉ ଯେଉଁମାନେ ଅଭିଯୋଗ କରୁଥିଲେ ସେମାନେ ଯାଉଛନ୍ତି । ଲଜ୍ଜା ଲାଗିବା ଉଚିତ। ଡ୍ରାମା ଶିଖିବାର ଅଛି ତ ବିଜେପି ପାଖରୁ ଶିଖିବା ଉଚିତ। ଦେଶରେ ଗୁଜୁରାଟ ମଡେଲ ଦଙ୍ଗା କରିବା ପାଇଁ ଷଡଯନ୍ତ୍ର କରୁଛି ବିଜେପି । ଦେଶର ରାଜଧାନୀ ଦିଲ୍ଲୀରେ ନିଆଁ ଜଳୁଥିବା ବେଳେ ଅମିତ ଶାହା ଆସି ଓଡିଶାରେ ସିଏଏ ସମର୍ଥନରେ ରାଲି କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। କଂଗ୍ରେସ ଏହାକୁ ଘୋର ନିନ୍ଦା କରୁଛି " ବୋଲି କଂଗ୍ରେସ ନେତା ସୁର ରାଉତରାୟ କହିଛନ୍ତି ।
ସେପଟେ "ନବୀନ ନିବାସରେ ମଧ୍ୟାହ୍ନ ଭୋଜନ ନେଇ ମମତା ବାନାର୍ଜୀଙ୍କୁ ଧନ୍ୟବାଦ । ସେ ସମ୍ମାନ ଦୃଷ୍ଟିରୁ ବସିଲେ ହେଲେ ଖାଦ୍ୟ ଗ୍ରହଣ କଲେ ନାହିଁ । ଅମିତ ଶାହା ଗୁଜରାଟ ଦଙ୍ଗାରେ ଲିପ୍ତ ଥିବା ବେଳେ ଏଠି ଆସି କଂଗ୍ରେସ କଥା କହିବା ଠିକ ନୁହେଁ। କଂଗ୍ରେସ ସମୟରେ ଓଡିଶାରେ ଦେଶରେ ଓ ରାଜ୍ୟରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ହୋଇଛି, ହେଲେ ଶାହା ଏଭଳି ମିଛ ପ୍ରଚାର କରିବା ଠିକ ନୁହେଁ ବୋଲି" ସୁର କହିଛନ୍ତି ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ