ଭୁବନେଶ୍ବର: ଶ୍ରୀମନ୍ଦିର ପରିଚାଳନା ନେଇ ସର୍ବୋଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶକୁ ଅବମାନନା କରିଥିବା ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ରାଜ୍ୟ କଂଗ୍ରେସ । ପୁରୀ ଶ୍ରୀମନ୍ଦିର ଚତୁର୍ପାଶ୍ବ ସୌନ୍ଦର୍ଯ୍ୟକରଣକୁ ନେଇ ସୁପ୍ରିମକୋର୍ଟ ନିକଟରେ ଦାୟର ହୋଇଥିବା 'ମୃଣାଳିନୀ ପାଢ଼ୀ ବନାମ ୟୁନିୟନ ଅଫ ଇଣ୍ଡିଆ' ମୋକଦ୍ଦମାରେ ସର୍ବୋଚ୍ଚ ନ୍ୟାୟାଳୟ ୪ ନଭେମ୍ବର ୨୦୧୯ରେ ଯେଉଁ ନିର୍ଦେଶ ଦେଇଥିଲେ ସେଥିରେ ସ୍ପଷ୍ଟ ଭାବରେ ଉଲ୍ଲେଖ ରହିଛି ଯେ, ରାଜ୍ୟ ସରକାର ଜଣେ ପୂର୍ଣ୍ଣକାଳୀନ ଶ୍ରୀମନ୍ଦିର ପ୍ରଶାସକଙ୍କୁ ତତକ୍ଷଣତ ନିଯୁକ୍ତି ପ୍ରଦାନ କରିବେ । ଯିଏ ଅନ୍ୟ କୌଣସି ବିଭାଗର ଦାୟିତ୍ବରେ ରହି ପାରିବେ ନାହିଁ । କିନ୍ତୁ ଏପରି ନିର୍ଦ୍ଦେଶକୁ ରାଜ୍ୟ ସରକାର ଖୁଲମଖୁଲା ଉଲ୍ଲଂଘନ କରିଥିବା ଅଭିଯୋଗ ଆଣିଛନ୍ତି କଂଗ୍ରେସ ନେତା ସତ୍ୟ ପ୍ରକାଶ ନାୟକ ।
ଏଥିରୁ ସ୍ପଷ୍ଟ ପ୍ରତୀୟମାନ ଯେ ରାଜ୍ୟ ସରକାର ଶ୍ରୀମନ୍ଦିରର ଗୁରୁ ଦାୟିତ୍ବକୁ କୌଣସି ଅଧିକାରୀଙ୍କୁ ଅତିରିକ୍ତ ଦାୟିତ୍ବ ଭାବରେ ପ୍ରଦାନ କରିପାରିବେ ନାହିଁ । କିନ୍ତୁ ସରକାର ଏ ନିର୍ଦେଶକୁ ଖୁଲମଖୁଲା ଉଲ୍ଲଂଘନ କରିଛନ୍ତି ବୋଲି ବୁଧବାର କଂଗ୍ରେସ ଭବନରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି କଂଗ୍ରେସ ନେତା । ଶ୍ରୀମନ୍ଦିର ପରିଚାଳନାକୁ ନେଇ ସୁପ୍ରିମକୋର୍ଟଙ୍କ ନିର୍ଦେଶ ଅନୁଯାୟୀ ସରକାର ପୂର୍ଣ୍ଣ କାଳୀନ ମୁଖ୍ୟ ପ୍ରଶାସକ ନିଯୁକ୍ତ କରନ୍ତୁ, ନଚେତ ଆଗାମୀ ଦିନରେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛନ୍ତି ସତ୍ୟ ପ୍ରକାଶ ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ