ଭୁବନେଶ୍ବର: ଗ୍ୟାସ ଦରବୃଦ୍ଧିକୁ ନେଇ ତେଜୁଛି ଆନ୍ଦୋଳନ । ଏହାକୁ ନେଇ ନଭେମ୍ବର 22 ତାରିଖରୁ 3 ଦିନ ବିଭିନ୍ନ ବ୍ଲକରେ ଆନ୍ଦୋଳନ କରିବ ବିଜୁ ଜନତା ଦଳ । ଛାମୁଆ ସଂଗଠନ ଗୁଡ଼ିକ ମଧ୍ୟ ଏହି ପ୍ରସଙ୍ଗକୁ ନେଇ କେନ୍ଦ୍ର ସରକାରଙ୍କ ବିରୋଧରେ ରାଜରାସ୍ତାକୁ ଓହ୍ଲାଇବେ । ଗ୍ୟାସ ଦର ଅହେତୁକ ବୃଦ୍ଧି ହାଣ୍ଡିଶାଳ ଉପରେ ପ୍ରଭାବ ପକାଇଛି। ତୁରନ୍ତ ଗ୍ୟାସ ଦରହ୍ରାସ କରିବାକୁ ଦାବି ହେବାରେ ଲାଗିଛି ।
ସେପଟେ କଂଗ୍ରେସ ମଧ୍ୟ ଗ୍ୟାସ ଦରବୃ୍ଦ୍ଧିକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛି । ବରିଷ୍ଠ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହୀନିପତି ଏନେଇ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, "ଉଜ୍ୱଳା ଯୋଜନା କହି ଲୋକଙ୍କୁ ଠକିଲା ବିଜେପି l ବିଜୁ ଜନତା ଦଳର ଆନ୍ଦୋଳନକୁ ଧନ୍ୟବାଦ ଜଣାଉଛି l କଂଗ୍ରେସ ସମୟରେ 2014ରେ 350ଟଙ୍କା ଥିଲା ଗ୍ୟାସ ଦର l ଏବେ 1000 ଟଙ୍କାରେ ପହଞ୍ଚିଲାଣି l ତେଣୁ କେନ୍ଦ୍ର ବିରୋଧରେ ଆନ୍ଦୋଳନ ହେବା ଦରକାର୍ l କଂଗ୍ରେସ ମଧ୍ୟ ଆଗକୁ ଆନ୍ଦୋଳନ କରିବ l"
ବର୍ତ୍ତମାନ ଗ୍ୟାସ ଦର ଅଧିକରୁ ଅଧିକ 350ଟଙ୍କା ରହିବା ଦରକାର । ଅଚ୍ଛେ ଦିନ କଥା କହି ମୋଦି ଲୋକଙ୍କ ସବ୍ସିଡି କାଟି ଦେଉଛନ୍ତି। ଫଳରେ ଗ୍ୟାସ ଦର 1000 ଟଙ୍କା ପାର ହୋଇଛି । ନୈତିକତା ଦୃଷ୍ଟିରୁ ମୋଦି ସରକାରଙ୍କୁ ସରକାର ଗାଦିରୁ ହଟାଇବା ଜରୁରୀ ବୋଲି କହିଛନ୍ତି ତାରା ପ୍ରସାଦ ବାହୀନିପତି।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ