ଭୁବନେଶ୍ବର: ଦେଶ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ରାଜ୍ୟବ୍ୟାପି ପାଳନ କରିବା ପାଇଁ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ତୃଣମୂଳ ସ୍ତରରେ କଂଗ୍ରେସ ସଂଗଠନକୁ ସୁଦୃଢ଼ କରିବା ପାଇଁ ବ୍ୟାପକ ଖସଡ଼ା ପ୍ରଦେଶ କଂଗ୍ରେସ ପ୍ରସ୍ତୁତ କରିଛି । ଏନେଇ ଆଜି(ଗୁରୁବାର) କଂଗ୍ରେସ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀ (Press Conference)ରେ ପ୍ରଦେଶ କଂଗ୍ରେସ କମିଟି ଉପସଭାପତି ତଥା ପୂର୍ବତନ ବିଧାୟକ ଯଜ୍ଞେଶ୍ୱର ବାବୁ ବିସ୍ତୃତ ବିବରଣୀ ପ୍ରଦାନ କରିଛନ୍ତି ।
ଯଜ୍ଞେଶ୍ୱର ବାବୁ କହିଛନ୍ତି ଯେ, ସ୍ୱାଧୀନତା ଦିବସର ୭୫ ବର୍ଷ ପୂର୍ତ୍ତି ପାଳନ ପାଇଁ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଏକ କମିଟି ଗଠନ କରାଯାଇଛି । ଏହି କମିଟିରେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ ଅଧ୍ୟକ୍ଷ ଅଛନ୍ତି । ରାଜ୍ୟ ସେବା ଦଳର ଅଧ୍ୟକ୍ଷ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ରଙ୍କୁ ଆବାହକ ଭାବେ ଦାୟିତ୍ୱ ଦିଆଯାଇଛି । ପଦ୍ମାକର ଗୁରୁ, ରବିନ୍ଦ୍ରନାଥ କର, ବଟକୃଷ୍ଣ ତ୍ରିପାଠୀ, ନରେନ୍ଦ୍ର ମିଶ୍ର, ୟାସିର ନୱାଜ, ବନ୍ଦିତା ପରିଡ଼ା, ଗିରିବାଳା ବେହେରା ଓ ଅମୀୟ ପାଣ୍ଡବ ସଭ୍ୟ ଭାବରେ ରହିଛନ୍ତି ।
ସେହିପରି ବାଂଲାଦେଶ ମୁକ୍ତି ଯୁଦ୍ଧ ସ୍ମରଣୀୟ ସ୍ୱର୍ଣ୍ଣଜୟନ୍ତୀ ଆସନ୍ତା ଡିସେମ୍ବର ମାସ ୭ ତାରିଖ ଦିନ ପାଳନ କରିବା ପାଇଁ ମଧ୍ୟ ଏକ କମିଟି ଗଠନ କରାଯାଇଛି । ଉକ୍ତ କମିଟିରେ ପୂର୍ବତନ ବିଧାୟକ ତଥା ବରିଷ୍ଠ ପିସିସି ଉପସଭାପତି ଦେବାଶିଷ ପଟ୍ଟନାୟକ ଅଧ୍ୟକ୍ଷ ରହିଛନ୍ତି । ପିସିସି ମୁଖପାତ୍ର ପଦ୍ମାକର ଗୁରୁଙ୍କୁ ସଂଯୋଜକ ଭାବେ ଏବଂ ସସ୍ମିତା ବେହେରା, ଅଶୋକ ଦାସ, ଅମିୟ ପାଣ୍ଡବ, ରଞ୍ଜିତ ଦାସ, ମମତା କୁଣ୍ଡୁ, ସତ୍ୟବ୍ରତ ନାୟକ ଓ ନିମାଇ ସରକାରଙ୍କୁ ସଭ୍ୟ ଭାବେ ରହିଛନ୍ତି ।
ଯଜ୍ଞେଶ୍ୱର ବାବୁ ସୂଚନା ଦେଇ କହିଛନ୍ତି ଯେ, ଚଳିତ ମାସ ୧ ତାରିଖ ଠାରୁ ୨୦୨୨ ମସିହା ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ କଂଗ୍ରେସର ସଭ୍ୟ ସଂଗ୍ରହ ଅଭିଯାନ ନିରନ୍ତର ଚାଲୁ ରହିବ । ଏହି ସଭ୍ୟସଂଗ୍ରହ ଅଭିଯାନରେ ରାଜ୍ୟରେ ଅନୁନ୍ୟ ୧୦ ଲକ୍ଷ ନୂତନ ସଭ୍ୟ ସଂଗ୍ରହ କରିବା ପାଇଁ ଲକ୍ଷ ଧାର୍ଯ୍ୟ କରାଯାଇଛି । ଏହା ସହ ମାର୍ଚ୍ଚ ୩୧ ୨୦୨୨ ସୁଦ୍ଧା ସଭ୍ୟଭୁକ୍ତ ହୋଇଥିବା ସଭ୍ୟ କଂଗ୍ରେସର ଦଳୀୟ ନିର୍ବାଚନରେ ଭାଗ ନେଇପାରିବେ । ମାର୍ଚ୍ଚମାସ ଶେଷସୁଦ୍ଧା ପ୍ରତି ପଞ୍ଚାୟତରେ ଗୋଟିଏ ଗୋଟିଏ ସମବାୟ ଭିତିକ କୃଷକ ସଂଗଠନ କରାଯିବ । ରାଜ୍ୟର ପ୍ରତ୍ୟେକ ପଞ୍ଚାୟତର ପ୍ରତ୍ୟେକ ୱାର୍ଡରେ ୫ ଜଣ ସଦସ୍ୟଙ୍କୁ ନେଇ ସେହି ୱାର୍ଡରେ ୱାର୍ଡ କଂଗ୍ରେସ ସହାୟତା କେନ୍ଦ୍ର ଗଠନ ହେବ । ଏହା ମାଧ୍ୟମରେ ୱାର୍ଡରେ ବସବାସ କରୁଥିବା ପରିବାର ମାନଙ୍କ ଭିତରୁ ଯୋଗ୍ୟ ହିତାଧିକାରୀ ମାନଙ୍କୁ ଚିହ୍ନଟ କରି ବାର୍ଦ୍ଧକ୍ୟ ଭତ୍ତା, ବିକଳାଙ୍ଗ ଭତ୍ତା, ବିଧବା ଭତ୍ତା, ଆବାସ ଯୋଜନା, ଜମିପଟ୍ଟନା, ପାଇଖାନା ପ୍ରଭୃତି ସରକାରୀ ବ୍ୟବସ୍ଥାର ସଠିକ ବିନିଯୋଗ ପାଇଁ ନିରନ୍ତର ରଚାନାତ୍ମକ କାର୍ଯ୍ୟ ମାଧ୍ୟମରେ ସଂଘର୍ଷ ଜାରି ରଖିବେ ।
ୱାର୍ଡ କଂଗ୍ରେସ ସହାୟତା କେନ୍ଦ୍ରର ସଦସ୍ୟମାନେ ଜନସାଧାରଣଙ୍କ ସେବା ନିମନ୍ତେ ନିୟୋଜିତ ହେବେ । ଟିକସ ଦାତାଙ୍କ ଅର୍ଥର ସଦବିନିଯୋଗ ପାଇଁ ଯତ୍ନବାନ ହେବେ । କୃଷିରଣ ଛାଡ଼, ସ୍ୱୟଂସହାୟକ ଗୋଷ୍ଠିର ଋଣ ଛାଡ଼, ପ୍ରତ୍ୟେକ ଗରିବ ପରିବାରକୁ ଅନୁନ୍ୟ ମାସକୁ ନ୍ୟାୟ ଯୋଜନାରେ ୬ ହଜାର ଟଙ୍କା ପ୍ରଦାନ, ଶିକ୍ଷିତ ବେକାରୀ ଯୁବକଯୁବତୀଙ୍କ ନିଯୁକ୍ତି କିମ୍ବା ବେକାରୀ ଭତ୍ତା ପ୍ରଦାନ ପ୍ରଭୃତି ବିଷୟରେ ଲୋକଙ୍କ ଭିତରେ ସଚେତନ ସୃଷ୍ଟି କରିବେ । ସେହିପରି ଆସନ୍ତା ଡିସେମ୍ବର ମାସ ୨୬ ତାରିଖରେ ରାଜ୍ୟ ସେବାଦଳ ପକ୍ଷରୁ ଅନୁଷ୍ଠିତ ହେବାକୁ ଥିବା ସଦ୍ଭାବନା ଯାତ୍ରାରେ ପ୍ରତି ଗ୍ରାମପଞ୍ଚାୟତରୁ ଅନୁନ୍ୟ ଜଣେ ପ୍ରତିନିଧି ଆସି ଯୋଗଦେବେ ।
ପଞ୍ଚାୟତ ନିର୍ବାଚନ ପୂର୍ବରୁ ଓଡ଼ିଶା ପ୍ରଭାରୀ ତଥା ଏଆଇସିସି ସାଧାରଣ ସମ୍ପାଦକ ସାଂସଦ ଡଃ ଏ. ଚେଲା କୁମାର ସବୁ ଜିଲ୍ଲା ଗସ୍ତକରି କର୍ମୀସମ୍ମିଳନୀ ଓ ସାଧାରଣ ସଭା କରିଆସୁଛନ୍ତି । ଏହି ଅବସରରେ ଆସନ୍ତା ମାସ ୪ ତାରିଖ ଓ ୫ ତାରିଖ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ଡ. ଚେଲା କୁମାର ନୟାଗଡ଼ ଓ କନ୍ଧମାଳ ଗସ୍ତ କରି କର୍ମୀସମ୍ମିଳନୀ ଓ ସାଧାରଣ ସଭାରେ ଯୋଗଦେବେ ବୋଲି ପିସିସି ଉପସଭାପତି ଯଜ୍ଞେଶ୍ୱର ବାବୁ ସୂଚନା ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ମୁଖପାତ୍ର ମନୋରଞ୍ଜନ ଦାଶ, ପଦ୍ମାକର ଗୁରୁ ଓ ରାଜ୍ୟ ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର ଉପସ୍ଥିତ ଥିଲେ ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ