ଭୁବନେଶ୍ବର: ବିଜେଡିର ମହିଳାମାନଙ୍କ ପ୍ରତି ସଂରକ୍ଷଣ, ଏକ ପ୍ରହସନ । ଯାହା ବିଜେଡି କହୁଛି ତାହା କାମରେ ପ୍ରତିଫଳିତ କରୁନି। ବରଂ ଲୋକମାନଙ୍କ ଭାବାବେଗ ସହ ଖେଳି ସେମାନଙ୍କ ଦ୍ବାରା ରାଜନୈତିକ ଫାଇଦା ହାସଲ ପାଇଁ ବିଜୁ ଜନତା ଦଳ ମହିଳା କାର୍ଡ ଖେଳୁଥିବା ଅଭିଯୋଗ କରିଛି ମହିଳା କଂଗ୍ରେସ।
ଗୁରୁବାର କଂଗ୍ରେସ ଭବନ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତ୍ରୀ ସ୍ମୃତିରେଖା ପହି ସିଧାସଳଖ ବିଜେଡି ଉପରେ ଆକ୍ରମଣ କରି କହିଛନ୍ତି, ‘ଯଦି ଦଳର ମହିଳା ମାନଙ୍କ ପ୍ରତି ଏତେ ଦରଦ ବୋଲି କୁହାଯାଉଛି ତେବେ ବିଧାନସଭା ଓ ଲୋକସଭା ନିର୍ବାଚନ କ୍ଷେତ୍ରରେ କାହିଁକି ସେହି ସଂରକ୍ଷଣ ଲାଗୁ କରୁ ନାହାଁନ୍ତି।’
ସେହିଭଳି ମୁଖ୍ୟମନ୍ତ୍ରୀ ଯେଉଁ ବିଭାଗର ମନ୍ତ୍ରୀ ଅଛନ୍ତି ସେହି ବିଭାଗରେ ମଧ୍ୟ ମହିଳା ମାନଙ୍କ ନିଯୁକ୍ତି ପ୍ରତିଶତ ଅତି ନଗଣ୍ୟ। ଯାହା ଯୋଗୁଁ ରାଜ୍ୟରେ ମହିଳା ଓ ଶିଶୁମାନଙ୍କ ଉପରେ ଅତ୍ୟାଚାର ଓ ହିଂସା ବୃଦ୍ଧି ପାଇବାରେ ଲାଗିଛି ବୋଲି ସେ କହିଛନ୍ତି ।
ରାଜ୍ୟରେ ହଜାର ହଜାର ସଂଖ୍ୟାରେ ଶିଶୁ ଓ ମହିଳା ନିଖୋଜ ହୋଇ ଥିବାବେଳେ ସେମାନଙ୍କ ମା’ ମାନେ ନ୍ୟାୟ ପାଇବାକୁ ରାଜରାସ୍ତାକୁ ଆସୁଛନ୍ତି। ସ୍ବାସ୍ଥ୍ୟସେବା କ୍ଷେତ୍ରରେ କାର୍ଯ୍ୟ କରୁଥିବା ମହିଳା ସ୍ବାସ୍ଥ୍ୟକର୍ମୀମାନେ ଅନେକ ଦିନ ଧରି ନିଜ ଦାବି ହାସଲ ପାଇଁ ରାଜରାସ୍ତାରେ ଆନ୍ଦୋଳନ କରୁଛନ୍ତି। ତାଙ୍କ କଥା ସରକାର ବୁଝୁ ନାହାଁନ୍ତି। ଯାହାକି ବିଜେଡିର କଥା ଓ କାର୍ଯ୍ୟର ବାସ୍ତବ ସ୍ଥିତିକୁ ସୂଚାଉଛି ବୋଲି ସେ ଦର୍ଶାଇଛନ୍ତି।
ଆଗାମୀ ଦିନରେ ବିଜେଡିର ଏଭଳି ମିଛ ପ୍ରତିଶୃତିକୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ସହ ବିଜେଡିର ଅସଲ ମୁଖା ଖୋଲିବାକୁ କଂଗ୍ରେସ କାର୍ଯ୍ୟ କରିବ ବୋଲି ସେ କହିଛନ୍ତି।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ