ଭୁବନେଶ୍ବର: ଜଗତସିଂହପୁର ଜିଲ୍ଲାର ବାଲିକୁଦା ଜୋନ ନଂ ୨ ଜିଲ୍ଲା ପରିଷଦ ଆସନ ଅନୁସୂଚିିତ ଜାତିବର୍ଗ ପାଇଁ ସଂରକ୍ଷିତ । ହେଲେ ଏହି ସଂରକ୍ଷିତ ଆସନରେ ଶାସକ ବିଜୁ ଜନତା ଦଳ ପକ୍ଷରୁ ଜଣେ ସାଧାରଣ ବର୍ଗର ଲୋକଙ୍କୁ ପ୍ରାର୍ଥୀ କରାଯାଇଥିବା ଅଭିଯୋଗ ହୋଇଛି । ଚଞ୍ଚକତା କରି ଏକ ସଂରକ୍ଷଣ ବର୍ଗର ପ୍ରାର୍ଥୀଙ୍କ ଅଧିକାରକୁ ଛଡ଼ାଇ ନେବା ପାଇଁ ଶାସକ ବିଜୁ ଜନତା ଦଳ ହୀନ ଉଦ୍ୟମ କରିଥିବା କଂଗ୍ରେସ ଅଭିଯୋଗ କରିଛି ।
ଏହାକୁ ନେଇ କଂଗ୍ରେସର ଏକ ପ୍ରତିନିଧି ଦଳ ରାଜ୍ୟ ନିର୍ବାଚନ ଆୟୋଗଙ୍କ ନିକଟରେ ଫେରାଦ ହୋଇଛି । ବାଲିକୁଦା ଜୋନ ନଂ ୨ ଜିଲ୍ଲା ପରିଷଦ ଆସନରେ ପ୍ରାର୍ଥୀ ହୋଇଥିବା ଜଟାଧାରୀ ଦାସଙ୍କ ଜାତି କୈବର୍ତ୍ତ–ବୈଷ୍ଣବ ଯାହା ଅନୁସୂଚିତ ଜାତି ତାଲିକାରେ ନାହିଁ । ଜଟାଧାରୀ ଦାସଙ୍କ ବାପା କୈବର୍ତ୍ତ ବୈଷ୍ଣବ ଓ ଜେଜେବାପା ମଧ୍ୟ କୈବର୍ତ୍ତ ବୈଷ୍ଣବ, ଏ ସମ୍ପର୍କରେ ପ୍ରାମାଣିକ ତଥ୍ୟ ଓ ଦଲିଲ ମଧ୍ୟ ନିର୍ବାଚନ କମିଶନଙ୍କ ପାଖରେ ଦାଖଲ କରାଯାଇଛି ।
ଏହାପୂର୍ବରୁ ମଧ୍ୟ ଜଟାଧାରୀ ଦାସଙ୍କ ଆବେଦନ କରିଥିବା ଜାତି ପ୍ରମାଣ ପତ୍ରକୁ ତହସିଲଦାର ନାକଚ କରିଥିଲେ । ଏହାସତ୍ତ୍ବେ ସେ ବହୁ ପୁରୁଣା ମିଥ୍ୟା ଜାତି ପ୍ରମାଣପତ୍ର ଦାଖଲ କରିଥିବା ଅଭିଯୋଗ ହୋଇଛି ।
ଜଟାଧାରୀ ଦାସଙ୍କ ପ୍ରାର୍ଥୀପତ୍ର ତୁରନ୍ତ ନାକଚ କରିବା ସହ ତାଙ୍କ ବିରୋଧରେ ଫୌଜଦାରୀ ମୋକଦ୍ଦମା ରୁଜୁ କରିବାକୁ ଦାବି ହୋଇଛି । କିନ୍ତୁ ରାଜ୍ୟ ସରକାର ଓ ବାଲିକୁଦା ବିଧାୟକ ତଥା ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ଚାପରେ ରିଟର୍ଣ୍ଣିଂ ଅଫିସର କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବା କଥା କହିଛି କଂଗ୍ରେସ । ଏଥି ସହିତ ରିଟର୍ଣ୍ଣିଂ ଅଫିସରଙ୍କ ପକ୍ଷପାତପୂର୍ଣ୍ଣ ବେଆଇନ କାର୍ଯ୍ୟ ପାଇଁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରାଯାଇଛି ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ