ଭୁବନେଶ୍ବର: ଆଜିଠାରୁ ଆରମ୍ଭ ହୋଇଛି ଷୋଡଶ ବିଧାନସଭାର ଷଷ୍ଠ ଅଧିବେଶନ । ଗୃହ ଆରମ୍ଭ ହେବା ମାତ୍ରେ ବିଧାନସଭାରେ ଅଭିଭାଷଣ ରଖିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ପ୍ରଥମେ ଗୃହର ଦିଂବଗତ ସଦସ୍ୟ, ସହିଦ ଯବାନ, କୋଭିଡ ଯୋଦ୍ଧାଙ୍କୁ ରାଜ୍ୟପାଳ ଶ୍ରଦ୍ଧାଞ୍ଜଳି ଦେଇ ଅଭିଭାଷଣ ପଢିଥିଲେ । ତେବେ ରାଜ୍ୟପାଳଙ୍କ ଅଭିଭାଷଣକୁ ବର୍ଜନ କରିଛନ୍ତି ବିରୋଧୀ କଂଗ୍ରେସ ଓ ବିଜେପି । ପରେ ଏହି ପ୍ରସଙ୍ଗକୁ ନେଇ ଗୃହ ବାହାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ବିଧାୟକ ଦଳନେତା ନରସିଂହ ମିଶ୍ର ।
ନରସିଂହ କଡା ସମାଲୋଚନା କରି କହିଛନ୍ତି ରାଜ୍ୟପାଳ ଅଭିଭାଷଣରେ ରାଜ୍ୟର ଗୁରୁତ୍ବପୂର୍ଣ୍ଣ ବିଷୟରେ ପଦୁଟିଏ ମଧ୍ୟ ଲେଖାଯାଇ ନାହିଁ । ଆଜିର ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି ରାଜ୍ୟର କିଛି ଅଞ୍ଚଳ ଆନ୍ଧ୍ର ଦଖଲ କରିନେଇଛି । ବେଆଇନ ଭାବେ ନିର୍ବାଚନ କରିଛି । ସେଠିକାର ଲୋକ ମଧ୍ୟ ନିର୍ବାଚନରେ ଭାଗ ନେଇଛନ୍ତି । ଯାହା ରାଜ୍ୟପାଇଁ ଦୁର୍ଭାଗ୍ୟଜନକ । ତାହା ରାଜ୍ୟପାଳଙ୍କ ଅଭିଭାଷଣରେ ସ୍ଥାନ ପାଇନାହିଁ ।
ରାଜ୍ୟରେ ଧାନ କିଣାକୁ ନେଇ ରାଜ୍ୟରେ କିଛି ଆଇନ କାନୁନ ନାହିଁ । ଚାଷୀ ସମସ୍ୟା ଉତ୍କଟ । ପଶ୍ଚିମ ଓଡିଶାରେ ସ୍ଥିତି ସଂଗୀନ । ଧାନ ବିକ୍ରି ହେଉନାହିଁ । ଚାଷି ଉପଯୁକ୍ତ ସମୟରେ ଟଙ୍କା ପାଉନାହିଁ । ସାରା ଦେଶରେ ଚାଷୀଙ୍କ ପାଇଁ ସଂକଟ ସୃଷ୍ଟି ହୋଇଛି । କିନ୍ତୁ ରାଜ୍ୟପାଳଙ୍କ ଅଭିଭାଷଣରେ ସେସବୁ ନାହିଁ ।
ସେହପରି ଦେଶରେ ପେଟ୍ରୋଲ ଡିଜେଲ ଦର ଅହେତୁକ ବୃଦ୍ଧି ପାଉଛି । କେନ୍ଦ୍ର ସରକାର ଦର ନିୟନ୍ତ୍ରଣ କରିବାରେ ବିଫଳ । ରାଜ୍ୟ ସରକାର ରାଜ୍ୟବାସୀଙ୍କ ଭାବାବେଗ ବୁଝୁନାହାଁନ୍ତି । ପେଟ୍ରୋଲ ଡିଜେଲ ଦର ବୃଦ୍ଧି ନେଇ କଂଗ୍ରେସ ବନ୍ଦ ଡାକରାକୁ ସଫଳତା ମିଳିଛି । ସେହିପରି ତୈଳଦର ବୃଦ୍ଧି ନେଇ ପ୍ରଧାନମନ୍ତ୍ରୀଙ୍କୁ ନରସିଂହଙ୍କ ଜୋରଦାର ଆକ୍ରମଣ କରିଛନ୍ତି । ଆମ ପ୍ରଧାନମନ୍ତ୍ରୀ ଯେତେବେଳେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିଲେ କହିଥିଲେ ଯେଉଁ ବ୍ୟକ୍ତି ବା ସରକାର ପେଟ୍ରୋଲ ଡିଜେଲ ଦର ନିୟନ୍ତ୍ରଣ କରିପାରେ ନାହିଁ ସେ ଦେଶଦ୍ରୋହୀ । କଣ ଆଜି ବୁଝିବାକୁ ହେବକି ଜଣେ ଦେଶଦ୍ରୋହୀ ଦେଶ ଶାସନ କରୁଛନ୍ତି ?
ସେହିପରି ରାଜ୍ୟ ସରକାରଙ୍କୁ ମଧ୍ୟ କଡା ସମାଲୋଚନା କରି ନରସିଂହ କହିଛନ୍ତି, ରାଜ୍ୟବାସୀଙ୍କ ଭାବାବେଗକୁ ଆଘାତ କରି ଆଇନ ଆଣିଛନ୍ତି କେନ୍ଦ୍ର ସରକାର । ଭୁବନେଶ୍ବରର ବିକାଶକୁ କେନ୍ଦ୍ର ସରକାର ବାଧା ଦେବାକୁ ଉଦ୍ୟମ କରିଛନ୍ତି । କିନ୍ତୁ ରାଜ୍ୟ ସରକାର କେବଳ ଚିଠି ଲେଖି ଦାୟିତ୍ବ ସାରିଦେଇଛନ୍ତି । ଭୁବନେଶ୍ବର ହେଉଛି ରାଜ୍ୟ ରାଜଧାନୀ । ସେହି ସମ୍ବେଦନଶୀଳ ପ୍ରସଙ୍ଗ ସମ୍ପର୍କରେ ମଧ୍ୟ ରାଜ୍ୟପାଳଙ୍କ ଅଭିଭାଷଣରେ ସ୍ଥାନ ପାଇଲା ନାହିଁ । ରାଜ୍ୟପାଳଙ୍କ ଅଭିଭାଷଣ ରାଜ୍ୟର ଉନ୍ନତି ପାଇଁ ନୁହେଁ । ରାଜ୍ୟବାସୀଙ୍କ କଲ୍ୟାଣ ପାଇଁ ନୁହେଁ । ଏହି ଅଭିଭାଷଣ ଜନ ବିରୋଧୀ କହିଲେ ନରସିଂହ ମିଶ୍ର ।
ଭୁବନେଶ୍ବରରୁ ତପନ ଦାସ ଓ ଭବାନୀ ଶଙ୍କର ଦାସ, ଇଟିଭି ଭାରତ