ଭୁବନେଶ୍ବର: ସାମ୍ପ୍ରଦାୟିକ ଦଙ୍ଗାକୁ ନେଇ ଜାତୀୟ ସ୍ତରରେ ଓଡିଶା ଶୀର୍ଷ ସ୍ଥାନ ହାସଲ କରିଛି । 2017ର ଏନସିଆରବି(ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ) ରିପୋର୍ଟ ଅନୁସାରେ ଏହି ତଥ୍ୟ ପ୍ରକାଶ ପାଇଛି । ଓଡିଶା ସହ କର୍ଣ୍ଣାଟକ ଏହି ତାଲିକାର ଶୀର୍ଷରେ ରହିଛି । ଉଭୟ ରାଜ୍ୟରେ ଜାତିଆଣ, ଧାର୍ମିକ ତଥା ସାମ୍ପ୍ରଦାୟିକ ଦଙ୍ଗା ଭଳି ଘଟଣାକୁ ନେଇ 3ଟି ହତ୍ୟାକାଣ୍ଡ ଘଟିଥିବା ରିପୋର୍ଟରୁ ଜଣାପଡିଛି ।
ଏନସିଆରବି ରିପୋର୍ଟରେ ପ୍ରସ୍ତୁତ ତାଲିକାରେ କେରଳ ଓ ଝାଡଖଣ୍ଡରେ ୨ଟି ଲେଖାଏଁ ହତ୍ୟାକାଣ୍ଡ ଘଟିଛି । ସେହିପରି ପଶ୍ଚିମବଙ୍ଗ, ରାଜସ୍ଥାନ, ଗୁଜୁରାଟ, ତେଲାଙ୍ଗାନା, ଉତ୍ତର ପ୍ରଦେଶ ଭଳି ରାଜ୍ୟରେ ଗୋଟିଏ ଲେଖାଏଁ ହତ୍ୟାକାଣ୍ଡ ଘଟିଥିବା କୁହାଯାଇଛି । ୨୦୧୭ ରିପୋର୍ଟ ଅନୁସାରେ ରାଜ୍ୟର ଶିଳ୍ପାଞ୍ଚଳରେ ଅଧିକ ଦଙ୍ଗା ସୃଷ୍ଟି ହୋଇଛି । ଭଦ୍ରକ, ଯାଜପୁରର କଳିଙ୍ଗନଗର ଓ କନ୍ଧମାଳର ଜଳେଶପଟା ଆଦି ସ୍ଥାନରେ ଏଭଳି ଘଟଣା ଦେଖିବାକୁ ମିଳିଥିଲା ।
ବିଶେଷଜ୍ଞଙ୍କ ମତ ଅନୁସାରେ ଅନ୍ୟ ରାଜ୍ୟରେ ବି ଏହିପରି ଅନେକ ଘଟଣା ଘଟୁଛି । କିନ୍ତୁ ତାହା ସେଠାରେ ସାଧାରଣ ଘଟଣା ପରି ମନେ ହେଉଛି । ରିପୋର୍ଟ ଓ ପ୍ରକୃତ ସ୍ଥିତି ଦେଖିଲେ ଓଡିଶାରେ ସେଭଳି ଘଟଣା ଘଟୁ ନାହିଁ ବୋଲି ପୂର୍ବତନ ପୋଲିସ ଡିଜି ସଂଜୀବ ମାରିକ କହିଛନ୍ତି ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ