ଭୁବନେଶ୍ବର: ପଶ୍ଚିମ ଓ ଦକ୍ଷିଣ ଓଡିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ନେଇ ରାଜ୍ୟ ସରକାର ସ୍ବତନ୍ତ୍ର କମିଟିର ପୁନଃର୍ଗଠନ କରିଛନ୍ତି । ଗୃହ ବିଭାଗ ପକ୍ଷରୁ ଏନେଇ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠିତ ହୋଇଛି।
ଦୀର୍ଘ ଦିନ ଧରି ପଶ୍ଚିମ ଓ ଦକ୍ଷିଣ ଓଡିଶାରେ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ନେଇ ଓକିଲ ମହାସଂଘ ପକ୍ଷରୁ ଦାବି କରାଯାଉଛି । ଏହାର ତଦାରଖ ପାଇଁ ରାଜ୍ୟ ସରକାର ଏହି ସ୍ବତନ୍ତ୍ର ଟିମ ଗଠନ କରିଛନ୍ତି । ପୁନଃର୍ଗଠନ ଏହି ଟିମରେ ଗୃହ ସଚିବ, ଅର୍ଥ ସଚିବ, ରାଜସ୍ବ ସଚିବ, ଆଇନ ବିଭାଗ ପ୍ରମୁଖ ସଦସ୍ୟ ରହିଛନ୍ତି ।
ସେହିପରି ହାଇକୋର୍ଟ ଦାୟିତ୍ବରେ ଥିବା ଗୃହ ବିଭାଗର ସ୍ଵତନ୍ତ୍ର ସଚିବ ସଦସ୍ୟ ସଂଯୋଜକ ରହିଛନ୍ତି । ପଶ୍ଚିମ ଓଡିଶା ହେଉ କି ଦକ୍ଷିଣ ଓଡ଼ିଶା ହାଇକୋର୍ଟର ସ୍ଥାୟୀ ବେଞ୍ଚ କେଉଁଠି ପ୍ରତିଷ୍ଠା ହେବ ସେ ନେଇ କମିଟି ସରକାରଙ୍କୁ ରିପୋର୍ଟ ଦେବେ । ପୂର୍ବରୁ ଗତ ମାର୍ଚ୍ଚ 9ରେ ଏନେଇ ମଧ୍ୟ କମିଟି ଗଠନ କରାଯାଇଥିଲା । ଯେଉଁଥିରେ ଗୃହ ବିଭାଗ ପକ୍ଷରୁ ସାମାନ୍ୟ ପରିବର୍ତ୍ତନ କରାଯାଇଛି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ