ଭୁବନେଶ୍ବର : ଆଉ ବ୍ରାଉନସୁଗାର ବିକିବେ ନି ମହିଳା । ନା ଦେଶି ମଦ ଭାଟିରେ କାମ କରିବେ । ନା ଅପରାଧର ହାତ ଧରି ହାତକଡି ପିନ୍ଧିବେ । କାରଣ ଏବେ ସ୍ବାବଲମ୍ବୀ ହେଉଛନ୍ତି ରାଜଧାନୀର ବସ୍ତି ମହିଳା । 18 ବର୍ଷରୁ ଊର୍ଦ୍ଧ୍ବ ଝିଅ ଓ ମହିଳା ଏବେ ବାଛିଛନ୍ତି ରୋଜଗାରିଆ ହେବାର ବାଟ । ସେଇଥିପାଇଁ ତ କମିଶନରେଟ ଦେଉଛି ମେହେନ୍ଦି ତାଲିମ ।
ଦୁଇ ଦିନିଆ କର୍ମଶାଳା ଜରିଆରେ ଏକସ୍ପର୍ଟ ଜରିଆରେ ତାଲିମ ଦିଆଯାଉଛି ଭୁବନେଶ୍ୱର ରିଜର୍ଭ ଗ୍ରାଉଣ୍ଡରେ । ମାଗଣାରେ ଖାଇବା ପିଇବା ଦେଇ ଏହି ତାଲିମ ଦିଆଯାଇଛି । ଏଥିପାଇଁ ଏକ ସଂସ୍ଥାର ମେହେନ୍ଦି ଟ୍ରେନରମାନେ ଆସି ତାଲିମ ଦେଉଛନ୍ତି । କିପରି ମେହେନ୍ଦି ପେଷ୍ଟ ତିଆରି କରିବେ, କିପରି ଏହାକୁ କୋନରେ ରଖିବେ ଓ ଲୋକଙ୍କ ହାତରେ ଲଗାଇବେ, ଏହାର ଡିଜାଇନ କିପରି ରହିବ କେଉଁ କେଉଁ ଚିତ୍ର କେଉଁ ପର୍ବ ବା ଉତ୍ସବ ପାଇଁ ଆବଶ୍ୟକ ସେ ସବୁ ଶିଖୁଛନ୍ତି ରାଜଧାନୀ ବସ୍ତିର ମହିଳା ।
ଅତି ସହଜ ଏବଂ ସୁନ୍ଦର ଭାବେ ଶିଖିଛନ୍ତି ବିଭିନ୍ନ ବସ୍ତିର ଅଭିଜ୍ଞ ଝିଅ ଓ ମହିଳା ମାନେ । ଫଳରେ ସେମାନେ ଆଗକୁ ବିଭିନ୍ନ ପୂଜା, ପର୍ବାଣୀରେ, ବିବାହ, ବ୍ରତରେ ନିଜ ପାଇଁ ରୋଜଗାର ମାଧ୍ୟମ ଖୋଜିପାରିବେ । ତେବେ ସ୍କିଲ ଡେଭଲପର ବନ୍ଦନା ଗୁପ୍ତା କହିଛନ୍ତି, "ପାର୍ଲର କିମ୍ବା ହୋମ ସର୍ଭିସରେ ମେହେନ୍ଦି କରି ଦିନକୁ 3 ହଜାର ନଚେତ ମାସକୁ 30ରୁ 50ହଜାର ପର୍ଯନ୍ତ ରୋଜଗାର କରିପାରିବେ ।"
ବସ୍ତିରେ ଅପରାଧ ନିୟନ୍ତ୍ରଣ ପାଇଁ ପୋଲିସ ଚଳାଇଛି ବସ୍ତି ଚାଲ ଅଭିଯାନ । ଏନେଇ ଝିଅ ଓ ମହିଳାଙ୍କୁ ରୋଜଗାରକ୍ଷମ କରାଇବାକୁ ଭିଡିଛି ଅଣ୍ଟା । ଏଥିପାଇଁ ସେମାନଙ୍କ ଘରର ଆର୍ଥିକ ସ୍ଥିତି ସୁଧାରିବାକୁ ପୋଲିସ ଚାହିଁଛି । ଫଳରେ ଘରର ମହିଳା ଟିଏ ବା ଝିଅଟିଏ ସ୍ବାବଲମ୍ବି ହେଲେ ଏହାର ପ୍ରଭାବ ଘରର ଅନ୍ୟ ସଦସ୍ୟ ଉପରେ ପଡିବ।
ଅପରାଧରେ ସାମିଲ ହେଉଥିବା ପୁରୁଷ ଟିଏ ବା ଯୁବକଟିଏ ଏହାଦ୍ବାରା ପ୍ରଭାବିତ ହେବ। ଅପରାଧ ସାମିଲ ନହୋଇ ନିଜକୁ ଭଲ ବାଟରେ ନିୟୋଜିତ କରାଇବାର ଲକ୍ଷ ରଖିଛି ବୋଲି ପୋଲିସ କହିଛି । ପୂର୍ବରୁ ବସ୍ତି ଚାଲ ଅଭିଯାନରେ ବସ୍ତିରେ କ୍ରିକେଟ ଜରିଆରେ ଯୁବକଙ୍କୁ ଯୋଡ଼ିବା, ଝୋଟି, ମୁରୁଜ ଭଳି ପ୍ରତିଯୋଗିତା କରି ଝିଅ ମହିଳାଙ୍କୁ ପ୍ରୋତ୍ସାହିତ ବା ବସ୍ତିର ଛାତ୍ରଛାତ୍ରୀଙ୍କୁ କମ୍ପ୍ୟୁଟର ତାଲିମ ମଧ୍ୟ ଦିଆଯାଇଛି । ଏବେ ଏପରି ମେହେନ୍ଦି ତାଲିମ ବସ୍ତି ବାସିନ୍ଦାଙ୍କ ପାଇଁ ଏକ ନୂଆ ରାହା ଦେଖାଇଛି।
ଇଟିଭି ଭାରତ, ଭୁବନେଶ୍ବର