ଭୁବନେଶ୍ବର: ଲକଡାଉନ ଅବଧି ଶେଷ ପୂର୍ବରୁ କମିସନରେଟ ପୋଲିସର କଟକଣା । ଟ୍ବିନିସିଟିରେ କୋରୋନା ମୁକାବିଲା କରିବା ପାଇଁ ମେ 1ରୁ 60 ଦିନ ପାଇଁ ବିଭିନ୍ନ ବିଭିନ୍ନ କଟକଣା ଲାଗୁ କରାଯିବ । କମିଶନରେଟ ପୋଲିସର ଅଧୀନ ଅଞ୍ଚଳ ମାନଙ୍କରେ ସାମାଜିକ ଦୂରତ୍ବ ବଜାୟ ସହ ଦୋକାନ ବଜାରରେ ଭିଡ ନ ଜମାଇବାକୁ ଜାରି ହୋଇଛି ଗାଇଡ ଲାଇନ । ତେବେ ନଜର ପକାନ୍ତୁ ଗାଇଡଲାଇନ ଗୁଡିକ ଉପରେ...
୧.ଦୁଇ ବ୍ୟକ୍ତିଙ୍କ ମଧ୍ୟରେ ୨ମିଟର ଦୂରତା ଅର୍ଥାତ 6 ଫୁଟର ବ୍ୟବଧାନ ବାଧ୍ୟତାମୂଳକ ।
୨.ସବୁ ଦୋକାନ ଓ ବାଣିଜ୍ୟିକ ଅନୁଷ୍ଠାନ ନିଜ ପରିସରରେ ବା ଆଖପାଖ ଅଂଚଳରେ ସାମାଜିକ ବ୍ୟବଧାନ ଉଲଙ୍ଘନ ନ ହେବା ପାଇଁ ଗୁରୁତ୍ବ ଦେବେ ।
୩.ଟ୍ବିନସିଟିର ବିଏମସି ଓ ସିଏମସି ଅଂଚଳରେ ପୌର ନିଗମ ଦ୍ବାରା ଅନୁମତି ମିଳିନଥିବା ଦୋକାନ ଖୋଲିବେ ନାହିଁ ଏବଂ ଦିଆଯାଇଥିବା ସମୟ ନିର୍ଘଣ୍ଟକୁ କଡାକଡି ପାଳନ କରିବେ ।
୪.ଗ୍ରାହକମାନେ ଦୋକାନ ବଜାରରେ କିଣାକିଣି ବେଳେ ସାମାଜିକ ଦୂରତାକୁ ପାଳନ କରିବେ ଓ ଅନ୍ୟମାନଙ୍କ ପ୍ରତି ଶୃଙ୍ଖଳିତ ଆଚରଣ କରିବେ ।
୫.ଯଦି ଗ୍ରାହକମାନେ ଦୋକାନୀ ବା ବାଣିଜ୍ୟିକ ଅନୁଷ୍ଠାନର ନିୟମ ନ ମାନି ସାମାଜିକ ଦୂରତା ଉଲଙ୍ଘନ କରିବେ, ତାହାଲେ ଦୋକାନୀ ପୋଲିସକୁ ୧୦୦ ଯୋଗେ ଯୋଗାଯୋଗ କରିବେ । ପୋଲିସକୁ ନ ଜଣାଇ ସାମାଜିକ ଦୂରତା ଦୋକାନ ସାମ୍ନାରେ ଭଙ୍ଗ ହେଲେ ମାଲିକ ଦାୟୀ ରହିବେ ଓ ଦଣ୍ଡିତ ମଧ୍ୟ ହେବେ ।
୬.ଦୋକାନ ଓ ବାଣିଜ୍ୟିକ ଅନୁଷ୍ଠାନର କର୍ମଚାରୀ ବା ମାଲିକ ସର୍ବଦା ମୁଖା ବା ମାସ୍କ ପିନ୍ଧିବେ ।
୭.ମାସ୍କ ପିନ୍ଧିନଥିବା ଗ୍ରାହକଙ୍କୁ ଦୋକାନକୁ ଅନୁମତି ନାହିଁ କି କିଣାକିଣି ବେଳେ ମୁହଁରୁ ମାସ୍କ ଖୋଲିବେ ନାହିଁ ।
୮.ପ୍ରତ୍ୟେକ ଦୋକାନ ବା ବାଣିଜ୍ୟିକ ଅନୁଷ୍ଠାନ ହାତ ଧୋଇବା ପାଇଁ ସାନିଟାଇଜର ବା ହ୍ୟାଣ୍ଡୱାସର ବ୍ୟବସ୍ଥା କରିବେ । ଏହି ସବୁ ନିୟମ ଉଲଙ୍ଘନ କଲେ ଓଡିଶା ସହରାଞ୍ଚଳ ଆଇନ ଧାରା ୯୬(ଡି)ରେ ୫ଶହ ଟଙ୍କା ଜୋରିମାନା ଦେବାକୁ ହେବ ।
ଏହି ସମସ୍ତ ନିୟମ ମେ 1ରୁ ଲାଗୁହେବ । ପ୍ରତ୍ୟାହାର ନ ହେଲେ ବା ଅବଧି ନ ବଢିଲେ, ୬୦ ଦିନ ପାଇଁ ଏହି ନିୟମ ବଳବତ୍ତର ରହିବ ବୋଲି କମିଶନରେଟ ପୋଲିସର ଟ୍ବିଟର ଜରିଆରେ ସୂଚନା ଦିଆଯାଇଛି ।
ଭୁବନେଶ୍ବରରୁ ତାପସ କୁମାର ପରିଡା, ଇଟିଭି ଭାରତ