ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ବାତ୍ୟା ପୁନରୁଦ୍ଧାର ସମୀକ୍ଷା । ସମସ୍ତ ପୁନରୁଦ୍ଧାର ଓ ପୁନର୍ଗଠନ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ କରିବାକୁ ନିର୍ଦ୍ଦେଶ । ୭ ଦିନ ମଧ୍ୟରେ ଘରଭଙ୍ଗା କ୍ଷତିର ଆକଳନ କରି ରିପୋର୍ଟ ପ୍ରଦାନ, ବୈତରଣୀ ନଦୀରେ ବନ୍ୟା ସମ୍ଭାବନା ଥିବାରୁ ସତର୍କ ରହିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଜନତାଙ୍କ ସହଯୋଗରେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶା ଅତ୍ୟନ୍ତ ସଫଳ ଓ ପ୍ରଭାବୀ ବୋଲି ପୁଣି ପ୍ରମାଣିତ ହୋଇଥିବା ମୁଖ୍ୟମନ୍ତ୍ରୀ ।
ଆଜି (ଗୁରୁବାର) ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ ବାତ୍ୟା 'ୟସ'ର ପରବର୍ତ୍ତୀ ପୁନର୍ଗଠନ ଓ ପୁନରୁଦ୍ଧାର କାର୍ଯ୍ୟ ସମ୍ପର୍କରେ ସମୀକ୍ଷା କରିଛନ୍ତି । ୭ ଦିନ ମଧ୍ୟରେ ପ୍ରଭାବିତ ଜିଲ୍ଲା ଗୁଡିକରେ ଭାଙ୍ଗି ଯାଇଥିବା ଘର ସମ୍ପର୍କରେ ଆକଳନ କରି ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
ବର୍ତ୍ତମାନ ରିଲିଫ, ପୁନର୍ଗଠନ ଓ ପୁନରୁଦ୍ଧାର ପ୍ରକ୍ରିୟା ଉପରେ ସମସ୍ତ ଧ୍ୟାନ କେନ୍ଦ୍ରୀତ କରିବାକୁ ପଡିବ । କ୍ଷତିଗ୍ରସ୍ତ ଜଳମଗ୍ନ ଅଞ୍ଚଳରେ ୭ ଦିନ ପାଇଁ ରିଲିଫ ଘୋଷଣା କରାଯାଇଛି । ସମସ୍ତ ମରାମତି ଓ ପୁନରୁଦ୍ଧାର କାର୍ଯ୍ୟକୁ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରଖିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ପାନୀୟ ଜଳ ଓ ବିଦ୍ୟୁତ ଯୋଗାଣ ପ୍ରକ୍ରିୟା ଖୁବଶୀଘ୍ର ସ୍ବଭାବିକ କରିବା ପାଇଁ ପରାମର୍ଶ ଦେଇଛନ୍ତି । ଆଜି ସଂଧ୍ୟା ସୁଦ୍ଧା ସମସ୍ତ ମୁଖ୍ୟ ସଡକ ଗୁଡିକ ଯାନବାହାନ ଚଳାଚଳ ପାଇଁ ଅବରୋଧମୁକ୍ତ ହେବ ବୋଲି ସେ ଆଶାପ୍ରକାଶ କରିଛନ୍ତି ।
ସେହିପରି ବୈତରଣୀ ନଦୀର ତଳ ଅଞ୍ଚଳରେ ବନ୍ୟା ଆସିବାର ସମ୍ଭାବନା ଥିବାରୁ ପ୍ରଶାସନ ସତର୍କ ଦୃଷ୍ଟି ରଖିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ବାତ୍ୟା 'ୟସ'ର ପରିଚାଳନାରେ ଉଲ୍ଲେଖନୀୟ ସଫଳତା ପାଇଁ ପ୍ରଶାସନିକ ଅଧିକାରୀମାନଙ୍କୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ । ସମସ୍ତ ବିଷୟକୁ ଦୃଷ୍ଟିରେ ରଖି ବିଧିବଦ୍ଧ ଯୋଜନା ଏବଂ ତ୍ରୁଟିଶୂନ୍ୟ ପରିଚାଳନା ଯୋଗୁଁ ବାତ୍ୟା 'ୟସ'ର ସଫଳ ମୁକାବିଲା କରାଯାଇପାରିଛି ।
ଜନସାଧାରଣଙ୍କ ସହଯୋଗରେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶା ଅତ୍ୟନ୍ତ ସଫଳ ଓ ପ୍ରଭାବୀ ବୋଲି ପୁଣି ଥରେ ପ୍ରମାଣିତ କରିପାରିଛି ।ବାତ୍ୟା ପ୍ରଭାବିତ ଜିଲ୍ଲାଗୁଡିକର ସମସ୍ତ ଜନସାଧାରଣ, ନାଗରିକ ସଂଗଠନ ମାନଙ୍କୁ ରିଲିଫ ଓ ସ୍ଥାନାନ୍ତର କାର୍ଯ୍ୟରେ ସେମାନଙ୍କ ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି । କେନ୍ଦ୍ର ସରକାର ଏବଂ ବିଭିନ୍ନ କେନ୍ଦ୍ରୀୟ ସଂସ୍ଥା ଯଥା NDRF, IMD ଓ ଅନ୍ୟାନ୍ୟ କେନ୍ଦ୍ରୀୟ ସଂସ୍ଥାକୁ ସେମାନଙ୍କ ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଦେଇଛନ୍ତି ।ପୁନରୁଦ୍ଧାର ଓ ପୁନର୍ବାସ କାର୍ଯ୍ୟରେ ଏହିଭଳି ଦକ୍ଷତାର ସହ କାର୍ଯ୍ୟ ଜାରି ରଖିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ହେଲିକପ୍ଟର ଯୋଗେ ଆକାଶମାର୍ଗରୁ ବାତ୍ୟା ଷୟଷତି ଆକଳନ କରିଥିଲେ । ୟସରେ ଭଦ୍ରକ ଓ ବାଲେଶ୍ବର ଜିଲ୍ଲା ସର୍ବାଧିକ ପ୍ରଭାବିତ ହୋଇଛି । ବିଦ୍ୟୁତ ଯୋଗାଯୋଗ ପ୍ରକ୍ରିୟା ୭୫ ରୁ ୮୦ ପ୍ରତିଶତ ସ୍ବଭାବିକ ହୋଇଛି ବୋଲି ବୈଠକରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି । ଜଳମଗ୍ନ ଅଞ୍ଚଳ ବ୍ୟତୀତ ଅନ୍ୟ ସମସ୍ତ ସ୍ଥାନରେ ବିଦ୍ୟୁତ ଯୋଗାଯୋଗ ସ୍ବଭାବିକ ହୋଇଛି । ପାନୀୟ ଜଳ ପାଇଁ ଡିଜି ସେଟ୍, ଟ୍ୟାଙ୍କର ଜରିଆରେ ବ୍ୟବସ୍ଥା କରାଯାଉଛି ବୋଲି ସେ ସୂଚନା ଦେଇଛନ୍ତି । ଲୋକଙ୍କ ସୁରକ୍ଷା ପାଇଁ ୧୨ଟି ଜିଲ୍ଲାର ୭ ଲକ୍ଷ ୧୦ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇ ୮୪୧୦ଟି ଆଶ୍ରୟ ସ୍ଥଳରେ ରଖାଯାଇଥିଲା । ୨୦୦ଟି ବ୍ଲକ୍ରେ ପ୍ରବଳ ବର୍ଷା ହୋଇଥିଲା । ମୟୂରଭଂଜର କୁସୁମୀ ବ୍ଲକ୍ରେ ୫୧୫ ମି.ମି ବର୍ଷା ହୋଇଥିବାର ସ୍ବତନ୍ତ୍ର ରିଲିଫ କମିଶନର ପି.କେ. ଜେନା ସୂଚନା ଦେଇଛନ୍ତି ।
ସୁବର୍ଣ୍ଣରେଖା ଓ ବୁଢାବଳଙ୍ଗ ନଦୀରେ ବନ୍ୟାଜଳ ବଢୁଥିବା ସତ୍ତ୍ବେ ବନ୍ୟା ଆଶଂକା କମ୍ ବୋଲି ସେ କହିଛନ୍ତି । ବୈତରଣୀ ନଦୀର ନିମ୍ନାଞ୍ଚଳରେ ବନ୍ୟାର ସମ୍ଭାବନା ରହିଛି ଓ ସେଥିପ୍ରତି ସତର୍କ ଦୃଷ୍ଟି ରଖାଯାଇଛି ।ସମସ୍ତ ୩୩ ଓ ୧୧ କେଭି ଫିଡର ମରାମତି ପ୍ରକ୍ରିୟା ଜାରି ରହିଛି ଏବଂ ଏହା ଖୁବ୍ ଶୀଘ୍ର ଶେଷ ହେବ । ୩୦ ଲକ୍ଷ ପ୍ରଭାବିତ ଉପଭୋକ୍ତାଙ୍କ ମଧ୍ୟରୁ ଆଜି ସଂଧ୍ୟା ସୁଦ୍ଧା ୨୩ ଲକ୍ଷ ଉପଭୋକ୍ତାଙ୍କୁ ବିଜୁଳି ଯୋଗାଯୋଗ ସ୍ବଭାବିକ କରାଯିବ । ସେହିପରି ସମୁଦାୟ ୬୨ଟି ବ୍ଲକ ପ୍ରଭାବିତ ହୋଇଛି । ସବୁ ପାଇପ ଜଳ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇଛି ବୋଲି ସୂଚନା ଦିଆଯାଇଛି । ୫୭୧ଟି ପାଇପ ଜଳ ପ୍ରକଳ୍ପକୁ ଜେନ୍ସେଟ୍ ଜରିଆରେ କାର୍ଯ୍ୟକାରୀ କରାଯାଉଛି । ୩୪୬ଟି ଟ୍ୟାଙ୍କର ଜରିଆରେ ଜଳମଗ୍ନ ସ୍ଥାନକୁ ପାନୀୟ ଜଳ ଯୋଗାଇ ଦିଆଯାଉଛି। ବାଲେଶ୍ବର ଓ ଭଦ୍ରକ ଜିଲ୍ଲାକୁ ଅତିରିକ୍ତ ଟ୍ୟାଙ୍କର ପଠାଯାଇଛି । ସମସ୍ତ ପୌରାଞ୍ଚଳରେ ପାନୀୟ ଜଳ ଯୋଗାଣ ପ୍ରକ୍ରିୟା ସ୍ବଭାବିକ କରାଯାଇଛି ।କେନ୍ଦ୍ରାପଡା, ବାଲେଶ୍ବର ଓ ଭଦ୍ରକ ଅଂଚଳରେ କେତେକ ସ୍ଥାନରେ ଘାଇ ସୃଷ୍ଟି ହୋଇଛି । ଜଳମଗ୍ନ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘାଇର ଆକଳନ କରାଯାଉଛି ଏବଂ ବିଭିନ୍ନ ସ୍ଥାନରେ ମରାମତି କାର୍ଯ୍ୟ ଚାଲିଛି । ୪୫୦୦ ଗର୍ଭବତୀ ମହିଳାଙ୍କୁ ଚିହ୍ନଟ କରାଯାଇଥିଲା । ସେଥିମଧ୍ୟରୁ ୨୧୦୦ଙ୍କୁ ହସ୍ପିଟାଲକୁ ସ୍ଥାନାନ୍ତରୀତ କରାଯାଇଥିଲା । ବାତ୍ୟା ସମୟରେ ୭୫୦ ନବଜାତ ଶିଶୁ ଜନ୍ମ ହୋଇଛନ୍ତି । ସମସ୍ତ କୋଭିଡ ହସ୍ପିଟାଲରେ ଭିତ୍ତିଭୂମି ଠିକ୍ ରହିଛି ।
ଆଜି ସଂଧ୍ୟା ସୁଦ୍ଧା ଗଛ ପଡି ଅବରୋଧ ହୋଇଥିବା ସମସ୍ତ ସଡକ ଗୁଡିକ ଆବରୋଧମୁକ୍ତ କରାଯିବ । ସେହିପରି ଗ୍ରାମ ଉନ୍ନୟନ ବିଭାଗର ୩୫୦ଟି ସଡକ ଅବରୋଧ ହୋଇଥିବା ବେଳେ ଏହିସବୁ ଗୁଡିକ ସଂଧ୍ୟା ସୁଦ୍ଧା ଅବରୋଧମୁକ୍ତ ହେବ । ବୈଠକରେ ବାଲେଶ୍ବର, ଭଦ୍ରକ, ମୟୂରଭଂଜ ଓ କେନ୍ଦ୍ରାପଡା ଜିଲ୍ଲାର ଜିଲ୍ଲାପାଳମାନେ ଜିଲ୍ଲାରେ ଚାଲିଥିବା ପୁନରୁଦ୍ଧାର କାର୍ଯ୍ୟକ୍ରମ ଗୁଡିକର ସୂଚନା ଦେଇଥିଲେ। ମୁଖ୍ୟମନ୍ତ୍ରୀ ଜିଲ୍ଲା ପ୍ରଶାସନର କାର୍ଯ୍ୟକୁ ପ୍ରଶଂସା କରି ଏହିଭଳି କାର୍ଯ୍ୟ ଜାରି ରଖିବାକୁ ପରାମର୍ଶ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ. ପାଣ୍ଡିଆନ ବୈଠକ ସଂଯୋଜନା କରିଥିଲେ । ସଂପୃକ୍ତ ବିଭାଗର ପ୍ରମୁଖ ସଚିବ ଓ ସଚିବମାନେ ଉପସ୍ଥିତ ଥିଲେ ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ