ଭୁବନେଶ୍ବର: ରାଜ୍ୟକୁ ଧାର୍ଯ୍ୟ ସମୟରେ ମିଳୁନି ସାର । ଏ ନେଇ କେନ୍ଦ୍ରମନ୍ତ୍ରୀଙ୍କ ଲୋଡିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଠିକ ସମୟରେ ସାର ଯୋଗାଇବା ଲାଗି କେନ୍ଦ୍ର ସାରମନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି ନବୀନ ।
ଓଡିଶାକୁ ସାର ଯୋଗାଣ ବାବଦରେ କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ମନସୁଖ ମାଣ୍ଡବ୍ୟଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟକୁ ଆବଶ୍ୟକ ପରିମାଣର ସାର ମିଳୁନଥିବାରୁ ଉଦବୋଗ ପ୍ରକାଶ କରିଛନ୍ତି ନବୀନ । ଏନେଇ କେନ୍ଦ୍ର ସାର ମନ୍ତ୍ରୀଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡିଛନ୍ତି ମୁଖ୍ୟମନ୍ତ୍ରୀ । ଚାଷୀମାନେ ସାର ନପାଇ ହନ୍ତସନ୍ତ ହେଉଛନ୍ତି । ଖରିଫ ଋତୁରେ ଡିଏପି ସାର 31 ପ୍ରତିଶତ କମ ମିଳିଛି । ଚାଷୀଙ୍କ ହିତ ପାଇଁ କେନ୍ଦ୍ର ସରକାର ଓଡ଼ିଶାର ମାସିକିଆ କୋଟା ସାର ଯୋଗାଇ ଦେଉ ବୋଲି ନବୀନ ଚିଠିରେ ଉଲ୍ଲେଖ କରିଛନ୍ତି ।
ମୁଖ୍ୟମନ୍ତ୍ରୀ ଚିଠିରେ ଦର୍ଶାଇଛନ୍ତି ଯେ, ଓଡ଼ିଶାକୁ ଚାହିଦା ଅନୁସାରେ ଏମଓପି ଏବଂ ଡିଏପି ସାର ମିଳିନି । ଜୁଲାଇ ଶେଷ ସୁଦ୍ଧା ରାଜ୍ୟକୁ 47 ହଜାର ମେଟ୍ରିକ ଟନ ଡିଏପି ଏବଂ 1 ହଜାର ମେଟ୍ରିକ ଟନ ଏମଓପି ସାର କମ ମିଳିଛି । ରାଜ୍ୟରେ ଏବେ ଖରିଫ ଚାଲିଥିଲା ବେଳେ ଏ ସାରର ଚାହିଦା ଆକାଶଛୁଆଁ ରହିଛି । ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଓଡ଼ିଶାର ଚାଷୀ ବହୁ କ୍ଷତି ସହିଛି । ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ଏଥର ଭଲ ଫସଲ ପାଇଁ ପାଣିପାଗ ଅନୁକୂଳ ଅଛି । ତେଣୁ ଅଗଷ୍ଟ ଓ ସେପଟେମ୍ବରରେ ଏମଓପି ଏବଂ ଡିଏପି ସାର ଅଧିକ ଦରକାର ହେବ । ଏଣୁ ଯଥାଶିଘ୍ର ରାଜ୍ୟକୁ ସାର ଯୋଗାଣ କରାଯାଉ ବୋଲି ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି ।