ଭୁବନେଶ୍ବର: ଶୁକ୍ରବାର “ଓଡିଶା - ମୋ ପରିବାର” ସମ୍ପର୍କରେ ଘୋଷଣା କରିଛନ୍ତି ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗତ 2 ତାରିଖ ଗାନ୍ଧୀ ଜୟନ୍ତି ଅବସରରେ ଆୟୋଜିତ ହୋଇଥିବା ଦଳୀୟ ପଦଯାତ୍ରା ଅବସରରେ ମୁଖ୍ୟମନ୍ତ୍ରୀ ଏହି ସମାଜ ସେବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ।
ଓଡିଶା -ମୋ ପରିବାର କାର୍ଯ୍ୟକ୍ରମ ସମ୍ପର୍କରେ ଘୋଷଣା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ‘ବିଜୁ ଜନତା ଦଳ ଓଡିଶାବାସୀଙ୍କ ଆଶୀର୍ବାଦରେ ରାଜ୍ୟର ସେବା କରିଚାଲିଛି । ସେବା ସଂଗ୍ରାମ ଓ ସ୍ବାଭିମାନ ହେଉଛି ଆମ ଦଳର ଆଦର୍ଶ । ଓଡିଶାବାସୀଙ୍କ ଆଶୀର୍ବାଦ ଆମର ଶକ୍ତି ।’
ଚଳିତ ବର୍ଷ ମହାତ୍ମା ଗାନ୍ଧୀଙ୍କ 150 ତମ ଜୟନ୍ତୀ ଅବସରରେ ଅହିଂସାକୁ ସମ୍ବିଧାନର ମୁଖବନ୍ଧରେ ସ୍ଥାନିତ କରିବାକୁ ଆମେ ଦାବି କରୁଛୁ । ଗାନ୍ଧିଜୀ ଥିଲେ ସେବାର ପ୍ରତୀକ । ସେହି ମହାନ ଆତ୍ମାଙ୍କ 150ତମ ଜନ୍ମ ଜୟନ୍ତୀରେ ବିଜୁ ଜନତା ଦଳ “ଓଡିଶା-ମୋ ପରିବାର” କାର୍ଯ୍ୟକ୍ରମ ଜରିଆରେ ତାଙ୍କୁ ଶ୍ରଦ୍ଧା ଓ ସମ୍ମାନ ଜଣାଉଛି । ଏହି କାର୍ଯ୍ୟକ୍ରମ ଦଳର ଏକ ପ୍ରମୁଖ ଅଂଶ ଭାବେ ସର୍ବଦା କାର୍ଯ୍ୟ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ପରିବେଶ ସୁରକ୍ଷା, ରକ୍ତଦାନ ଓ ବିପନ୍ନ ଓଡିଆଙ୍କୁ ସହାୟତା ଏହି କାର୍ଯ୍ୟକ୍ରମର ମୁଖ୍ୟ ଏଜେଣ୍ଡା । ଏଥିପାଇଁ ଅରୁପ ପଟ୍ଟନାୟଙ୍କୁ ଆବାହକ ଓ ପିନାକୀ ମିଶ୍ର, ଡକ୍ଟର ଅଚ୍ୟୁତ ସାମନ୍ତ, ଚନ୍ଦ୍ରଶେଖର ସାହୁ, ଅତନୁ ସବ୍ୟସାଚୀ ନାୟକ, ନଳୀନିକାନ୍ତ ପ୍ରଧାନ ସହ ଆବାହକ ଏବଂ ମନୋହର ରାନ୍ଧାରୀ, ଅନନ୍ତ ନାରାୟଣ ଜେନା, ସୁଧିର ସାମଲ, ସୁଶାନ୍ତ ରାଉତ, ସଞ୍ଜୀବ ମଲ୍ଲିକଙ୍କୁ ସଦସ୍ୟ ଭାବେ ଗ୍ରହଣ କରାଯାଇଛି ।
ଭୁବନେଶ୍ବରରୁ ଅଜିତ ଦାସ, ଇଟିଭି ଭାରତ