ଭୁବନେଶ୍ବର: ଟିକା ଉପଲବ୍ଧ କରିବା ନେଇ ଗୋଟେ ପରେ ଗୋଟେ ଚିଠି ଲେଖି ଚାଲିଛନ୍ତି ରାଜ୍ୟ ସରକାର । ରାଜ୍ୟ ସ୍ୱାସ୍ଥ୍ୟ ସଚିବ, ସ୍ୱାସ୍ଥ୍ୟ ମନ୍ତ୍ରୀ ପରେ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଚିଠି ଲେଖିଛନ୍ତି। ରାଜ୍ୟରେ କୋଭିଡ ଟିକାର ଅଭାବ ଦେଖା ଦେଇଛି । ଅଧିକ ଟିକା ଉପଲବ୍ଧ କରାଇବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ମୁଖ୍ୟମନ୍ତ୍ରୀଙ୍କ ଚିଠି...
ମୁଖ୍ୟମନ୍ତ୍ରୀ ଚିଠିରେ ଦର୍ଶାଇଛନ୍ତି ଯେ, ରାଜ୍ୟରେ ଏଯାବତ୍ ୪୭ ଲକ୍ଷ କୋଭିଡ ଟିକାର ଡୋଜ୍ ଦିଆଯାଇଛି । ଯେଉଁଥିରେ ସ୍ୱାସ୍ଥ୍ୟକର୍ମୀ, ସମ୍ମୁଖ ଆଗଧାଡ଼ିର ଯୋଦ୍ଧା, ଅସୁସ୍ଥ ଲୋକ ଏବଂ ୪୫ ବର୍ଷରୁ ଊର୍ଦ୍ଧ୍ୱ ବୟସର ବ୍ୟକ୍ତି ରହିଛନ୍ତି । ଦୈନିକ ୩ ଲକ୍ଷ ଟିକାକରଣର ନେଇ ରାଜ୍ୟର କ୍ଷମତା ରହିଛି । ଅପରପକ୍ଷରେ ଟୀକାକରଣ ଦିଗରେ ରାଜ୍ୟବାସୀଙ୍କ ଅଭୂତପୂର୍ବ ସହଯୋଗ ଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଦୈନିକ ୩ ଲକ୍ଷ କୋରୋନା ଟିକାର ଡୋଜ୍ ଦିଆଗଲା ୪୫ ବର୍ଷରୁ ଊର୍ଦ୍ଧ୍ୱ ସମସ୍ତ ଲୋକଙ୍କୁ ଟିକାକରଣ ନେଇ ୧୬୦ ଦିିନ ସମୟ ଲାଗିବ । କିନ୍ତୁ ରାଜ୍ୟକୁ ଟିକା ମିଳିବାରେ ସମସ୍ୟା ଯୋଗୁଁ ଏହି ଟାର୍ଗେଟ ହାସଲ କରିବାରେ ଚ୍ୟାଲେଞ୍ଜ ସୃଷ୍ଟି କରୁଛି । ତେଣୁ ତୁରନ୍ତ ୨୫ ଲକ୍ଷ ଟିକା ଯୋଗାଇବାକୁ ଚିଠିରେ ଉଲ୍ଲେଖ କରିଛନ୍ତି ମୁଖ୍ୟମନ୍ତ୍ରୀ ।
ଏହାଛଡା ଟିକାକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ୪ଟି ପ୍ରସ୍ତାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ବର୍ତ୍ତମାନର କୋରୋନା ସ୍ଥିତିକୁ ନଜରରେ ରଖି ଭ୍ୟାକ୍ସିନକୁ ଖୋଲା ବଜାରରେ ବିକ୍ରି ଅନୁମତି ଦେବାକୁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାଦ୍ବାରା ଯେଉଁମାନେ ଏହି ଟିକା କିଣିବାରେ ସକ୍ଷମ ହେବେ ସେମାନେ ନିଜେ ଟିକା ନେଇପାରିବେ । ଯେଉଁ ଟିକା ଗୁଡିକୁ ମଞ୍ଜୁରୀ ମିଳିଛି ତାର ଯୋଗାଣ ବୃଦ୍ଧି କରିବାକୁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ।
ମିଳୁନି ପର୍ଯ୍ୟାପ୍ତ କୋଭିଡ ଟିକା
ବର୍ତ୍ତମାନ ସୁଦ୍ଧା ଓଡି଼ଶା 50 ଲକ୍ଷ 79 ହଜାର 650 ଡୋଜ ଟିକା ଗ୍ରହଣ କରିଛି । ସେଥିମଧ୍ୟରୁ 45 ଲକ୍ଷ 42 ହଜାର 870 ଡୋଜ କୋଭିଶିଲ୍ଡ ଟିକା ଏବଂ 5,36,780 କୋଭାକ୍ସିନ ଟିକା ସାମିଲ ଥିଲା। ରାଜ୍ୟରେ କେବଳ 1 ଲକ୍ଷ 74 ହଜାର 4 ଡୋଜ୍ କୋଭିଶିଲ୍ଡ ଏବଂ 2 ଲକ୍ଷ 49 ହଜାର 196 ଡୋଜ୍ କୋଭାକ୍ସିନ୍ ରାଜ୍ୟରେ ଉପଲବ୍ଧ ରହିଥିବାବେଳେ ଟିକାକରଣ ମଧ୍ୟ ଜାରି ରହିଛି । କୋଭିଶିଲ୍ଡର ବାଲାନ୍ସ ଷ୍ଟକ୍ କେବଳ ଗୋଟିଏ ଦିନ ରହିବ ।
ରାଜ୍ୟରେ ଦୈନିକ 3 ଲକ୍ଷ ଟିକାକରଣର କ୍ଷମତା ରହିଛି । ତଥାପି ଓଡିଶାକୁ ଏକ ସମୟରେ କେବଳ 2ରୁ 3 ଲକ୍ଷ ଟିକା ଦିଆଯାଉଛି । ଯାହା ରାଜ୍ୟରେ ଦୂର ଜିଲ୍ଲାମାନଙ୍କ ପାଇଁ RVS & DVS ମାଧ୍ୟମରେ ରାଜ୍ୟ ଟିକା ଭଣ୍ଡାରରୁ କୋଲ୍ଡ ଚେନ୍ ପଏଣ୍ଟକୁ ଟିକା ସ୍ଥାନାନ୍ତର କରିବାକୁ ପ୍ରାୟ 3 ଦିନ ସମୟ ଲାଗୁଛି । ଟିକା ଯୋଗାଣରେ ଏଭଳି ଅନିୟମିତତା ଯୋଗୁଁ କମ୍ୟୁନିଟ ସେଣ୍ଟରଗୁଡିକରେ ଯୋଜନା ମୁତାବକ ଟୀକାକରଣ ସମ୍ଭବପର ହୋଇପାରୁନି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ