ଭୁବନେଶ୍ବର: ନିର୍ବାଚନୀ ଇସ୍ତାହାର ବେଳେ ଦେଇଥିବା ପ୍ରତିଶୃତିକୁ ସବୁ ବିଭାଗ ପୂରଣ କରିଛି କି ନାହିଁ, ଏହାକୁ ନେଇ ସବୁ ବିଭାଗର ସଚିବଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୦୧୯ ସାଧାରଣ ନିର୍ବାଚନରେ ବିଜେଡି ପକ୍ଷରୁ ଦିଆଯାଇଥିବା ନିର୍ବାଚନୀ ଇସ୍ତାହାରକୁ କେତେ କାର୍ଯ୍ୟକାରୀ କରାଯାଇଛି, ସେନେଇ ବିଭାଗୀୟ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ନବୀନ । ତେବେ ପଞ୍ଚମ ପାଳିର ୩ବର୍ଷ ଅତିକ୍ରମ କରିବାକୁ ଯାଉଛି ବିଜେଡି ।
ସେହିପରି ଶାସକ ବିଜେଡି ଦେଇଥିବା ନିର୍ବାଚନୀ ପ୍ରତିଶୃତି (ଇସ୍ତାହାର)କୁ କାର୍ଯ୍ୟକାରୀ କରିବା ଦିଗରେ ବିଭିନ୍ନ ବିଭାଗ ଗତ ୩ ବର୍ଷ ମଧ୍ୟରେ କ’ଣ ସବୁ ପଦକ୍ଷେପ ନେଇଛନ୍ତି, ଏହା ଉପରେ ହିସାବ ନେଇ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହ ମଇ ୨୯ ତାରିଖରେ ନବୀନ ପଟ୍ଟନାୟକଙ୍କ ସରକାରର ପଞ୍ଚମ ପାଳିର ତୃତୀୟ ବର୍ଷ ପୂରଣ ହେଉଥିବା ବେଳେ ତିନି ବର୍ଷରେ କ'ଣ କାମ ହୋଇଛି ତାକୁ ସବୁ ବିଭାଗ ଏହାର ରିପୋର୍ଟ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହାସହିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ସରକାର ନିୟମିତ ଭାବେ ସମୀକ୍ଷା କରିଛନ୍ତି ।
ମାତ୍ର ନିର୍ବାଚନୀ ଇସ୍ତାହାରରେ ଦିଆଯାଇଥିବା ପ୍ରତିଶୃତି ବିଶେଷକରି ୨୦୨୧ ମଇ ୨୯ ତାରିଖରେ ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକରେ ଗୃହୀତ ହୋଇଥିବା ସଂକଳ୍ପ ଦିଗରେ ସମ୍ପୃକ୍ତ ବିଭାଗ କି ପଦକ୍ଷେପ ନେଇଛି ଜୁନ୍ ୭ ତାରିଖ ମଧ୍ୟରେ ଜଣାଇବାକୁ ରାଜ୍ୟ ଯୋଜନା ଓ ସଂଯୋଜନ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏପଟେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରତି ମାସରେ ରିପୋର୍ଟ ଦେଇଆସୁଛୁ, ଦଳ ପକ୍ଷରୁ ଦିଆ ଯାଇଥିବା ଇସ୍ତାହାର ସମ୍ପୂର୍ଣ୍ଣ ହୋଇଥିବା କହିଛନ୍ତି ମନ୍ତ୍ରୀ ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ