ଭୁବନେଶ୍ବର: ସଡକ ସୁରକ୍ଷା ପାଇଁ ଏକ ଅଭିନବ ତାଲିମ କାର୍ଯ୍ୟକ୍ରମ ‘ରକ୍ଷକ’ର ଶୁଭାରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଲୋକସେବା ଭବନର କନଭେନସନ ସେଣ୍ଟରରେ ଏହି କାର୍ଯ୍ୟକ୍ରମର ଉଦଘାଟନ କରିଛନ୍ତି ।
ରାଜ୍ୟ ପରିବହନ ବିଭାଗ ଦ୍ବାରା ଆୟୋଜିତ ଏହି ତାଲିମ କାର୍ଯ୍ୟକ୍ରମରେ ୩୦ ହଜାର ପ୍ରଥମ ଜୀବନ ରକ୍ଷାକାରୀ ତାଲିମ ପାଇବେ । ୩ ଶହ ପ୍ରଶିକ୍ଷକ ରାଜ୍ୟର ୩୦ଟି ଜିଲ୍ଲାରେ ୩୦ ସପ୍ତାହ ପାଇଁ ତାଲିମ ପ୍ରଦାନ କରିବେ । ଏହାଦ୍ବାରା ସଡକ ଦୁର୍ଘଟଣାର ଶିକାର ହେଉଥିବା ବ୍ୟକ୍ତି ମାନଙ୍କୁ ତୁରନ୍ତ ସହାୟତା ଓ ଚିକିତ୍ସା ମିଳିପାରିବ । ଅନେକ ଜୀବନ ବଞ୍ଚାଯାଇ ପାରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି ।
କାର୍ଯ୍ୟକ୍ରମର ଉଦଘାଟନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ସଡକ ଦୁର୍ଘଟଣା କେବଳ ଜଣେ ବ୍ୟକ୍ତି ବା ଗୋଟିଏ ପରିବାରର କ୍ଷତି ନୁହେଁ । ଏହା ସମାଜର କ୍ଷତି । ଅର୍ଥନୀତିର ମଧ୍ୟ ବଡ କ୍ଷତି । ତେଣୁ ଏହାକୁ ରୋକିବା ପାଇଁ ଆମେ ସମସ୍ତେ ଏକାଠି ହୋଇ କାମ କରିବା ଦରକାର । ଏ କ୍ଷେତ୍ରରେ ଡ୍ରାଇଭର ମାନଙ୍କର ଯେତିକି ଦାୟିତ୍ବ, ସଡକ ବ୍ୟବହାର କରୁଥିବା ବ୍ୟକ୍ତିର ମଧ୍ୟ ସେତିକି ଦାୟିତ୍ବ । ତା ସହିତ ଦୁର୍ଘଟଣା ସ୍ଥଳରେ ଥିବା ଅନ୍ୟ ଲୋକମାନଙ୍କର ମଧ୍ୟ ବିଶେଷ ଦାୟିତ୍ବ ରହିଛି । ତେଣୁ ସେମାନେ ସାମାନ୍ୟ ସହଯୋଗ କଲେ, ଅନେକ ଜୀବନ ରକ୍ଷା ହୋଇପାରିବ । ଅନେକ ପରିବାର ଦୁର୍ଦ୍ଦିନରୁ ରକ୍ଷା ପାଇପାରିବେ ବୋଲି ସେ କହିଛନ୍ତି ।
ଏହାସହ ତାଲିମ ବ୍ୟବସ୍ଥା ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆପଣମାନେ ହେଉଛନ୍ତି ଜଣେ ଜଣେ ଉତ୍ତମ ନାଗରିକ । ଦୁର୍ଘଟଣାର ପ୍ରଥମ ଏକ ଘଣ୍ଟା ସବୁଠାରୁ ଗୁରୁତ୍ବପୂର୍ଣ୍ଣ । ଏହି ସମୟରେ ଆମେ ଯଦି ତୁରନ୍ତ ଚିକିତ୍ସା କରିବା, ତେବେ ଆମେ ଅନେକ ଜୀବନ ରକ୍ଷା କରିପାରିବା ବୋଲି ସେ କହିଛନ୍ତି । ବିପଦରେ ଥିବା ଲୋକର ଜୀବନ ବଞ୍ଚାଇବା ଠାରୁ ବଡ ପୁଣ୍ୟ କିଛି ନାହିଁ । ସଡକ ଦୁର୍ଘଟଣାର ଶିକାର ହେଉଥିବା ଲୋକ ମାନଙ୍କୁ ସାହାଯ୍ୟ ପାଇଁ ଆଗେଇ ଆସୁଥିବା ଲୋକକୁ ୨ ହଜାର ଟଙ୍କା ସହାୟତା ଦେବାର ବ୍ୟବସ୍ଥା କରାଯାଇଛି । ଏହାସହିତ ଦୁର୍ଘଟଣାର ଶିକାର ହୋଇଥିବା ବ୍ୟକ୍ତି ମାନଙ୍କର ଚିକିତ୍ସା ପାଇଁ ରାଜ୍ୟ ସରକାର ୧୪୭ କୋଟି ଟଙ୍କାର ଏକ ପାଣ୍ଠି ଗଠନ କରିଛନ୍ତି । ସଡକ ଦୁର୍ଘଟଣା ରୋକିବା ପାଇଁ ସରକାରଙ୍କ ଏ ଉଦ୍ୟମରେ ସହଯୋଗ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି ।
ବିଭିନ୍ନ ଅଣ-ସରକାରୀ ସଂଗଠନ ମାନେ ସଡକ ଦୁର୍ଘଟଣା ସମୟରେ ତୁରନ୍ତ ସହାୟତା ଯୋଗାଇଦେବା ଓ ସଚେତନତା ସୃଷ୍ଟି କ୍ଷେତ୍ରରେ ଯେଉଁ ଉଦ୍ୟମ କରୁଛନ୍ତି । ମୁଖ୍ୟମନ୍ତ୍ରୀ ତାର ଉଚ୍ଚ ପ୍ରଶଂସା କରିଛନ୍ତି । ସେମାନଙ୍କର ଏହି ଉଦ୍ୟମ ସଫଳ ହେବ । ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା କମିପାରିବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଛନ୍ତି । ଏହି ତାଲିମ କାର୍ଯ୍ୟକ୍ରମ ପାଇଁ ପରିବହନ ବିଭାଗକୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଦେଇଛନ୍ତି । ଏହା ସହିତ ରାଜ୍ୟସ୍ତରରେ ଏଭଳି କାର୍ଯ୍ୟକ୍ରମ ପ୍ରଥମ ବୋଲି ସେ କହିଛନ୍ତି । ତାଲିମ କାର୍ଯ୍ୟକ୍ରମ ଶେଷ ହେବା ପରେ ସଡକ ସୁରକ୍ଷା କ୍ଷେତ୍ରରେ ବହୁତ ଉନ୍ନତି ଆସିପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବିଭିନ୍ନ ସ୍ବେଚ୍ଛାସେବୀ, ରେଡକ୍ରସ ଓ ଅନ୍ୟାନ୍ୟ ସଂସ୍ଥା ମାନଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଦେଇ ଜୀବନ ରକ୍ଷା କ୍ଷେତ୍ରରେ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି । କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ରକ୍ଷକ ତାଲିମ କାର୍ଯ୍ୟକ୍ରମର ଲୋଗୋ ଉନ୍ମୋଚନ କରିବା ସହିତ ଏହାର ୱେବସାଇଟ OPTICS ଉଦଘାଟନ କରିଛନ୍ତି । ତାଲିମରେ ଯୋଗ ଦେଇଥିବା first responder ମାନଙ୍କୁ କିଟ ଓ ଟି-ସାର୍ଟ ବଣ୍ଟନ କରିଛନ୍ତି । ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସଡକ ଦୁର୍ଘଟଣା ରୋକିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇଛନ୍ତି । ବିଭାଗୀୟ ପ୍ରମୁଖ ସଚିବ ମଧୁସୂଦନ ପାଢୀ ସ୍ବାଗତ ଭାଷଣ ଦେଇଥିବାବେଳେ ପରିବହନ କମିଶନର ଅରୁଣ ବୋଥ୍ରା ଧନ୍ୟବାଦ ଅର୍ପଣ କରିଛନ୍ତି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ତାପସ ପରିଡା, ଇଟିଭି ଭାରତ