ଭୁବନେଶ୍ବର: ଦିଲ୍ଲୀ ପୋଲିସର ଦୁଇ ଅଧିକାରୀଙ୍କୁ ବାନ୍ଧିଲା ସିବିଆଇ । ଆଜି(ରବିବାର) ଭୁବନେଶ୍ବରରେ ଏକ ମାମଲାର ରଫାଦଫା କରିବା ଲାଗି ଏହି ଦୁଇ ଅଧିକାରୀ ଲାଞ୍ଚ ନେଉଥିବାବେଳେ ସିବିଆଇ କାବୁ କରିଛି । ତେବେ ଭୁବନେଶ୍ବର ଜଣେ ବ୍ୟକ୍ତିଙ୍କ ନାଁ ଏକ ଚାର୍ଜସିଟରୁ ହଟେଇବା ପାଇଁ ୪ଲକ୍ଷ ୫୦ ହଜାର ଲାଞ୍ଚ ନେଉଥିବାବେଳେ ସିବିଆଇ ରେଡ କରି ଧରିଛି ।
ଦିଲ୍ଲୀ ପୋଲିସର ଅର୍ଥନୈତିକ ଅପରାଧିକ ଶାଖାରେ କାମ କରୁଥିବା ଏହି ଭୁବନେଶ୍ବରରୁ ଲାଞ୍ଚ ଟଙ୍କା ନେବାକୁ ଭୁବନେଶ୍ବର ଆସିଥିଲେ । ସେପଟେ ଗିରଫ ହୋଇଥିବା ଦୁଇ ଅଧିକାରୀଙ୍କ ମଧ୍ୟରୁ ଜଣେ ଆଇଆଇସି ଓ ଅନ୍ୟଜଣେ କନଷ୍ଟେବଳ ବୋଲି ଜଣାପଡିଛି । ତେବେ ଗିରଫ ଅଭିଯୁକ୍ତ ହେଉଛନ୍ତି, ଦିଲ୍ଲୀ ପୋଲିସର ଇଓଡବ୍ଲୁ(EOW)ର ପୋଲିସ ଆଇଆଇସି ସଞ୍ଜୟ ସିଂ ଯାଦବ ଓ କନଷ୍ଟେବଳ ଅମିତ ଲାହୁଚା ।
ସୂଚନା ଅନୁସାରେ, ଆଜି ମାଷ୍ଟରକ୍ୟାଣ୍ଟିନରୁ ଲାଞ୍ଚ ଟଙ୍କା ସହ ଅଭିଯୁକ୍ତଙ୍କୁ ଗିରଫ କରିଛି ସିବିଆଇ । ଇଓଡବ୍ଲୁ(EOW)ର ପୋଲିସ ଆଇଆଇସି ସଞ୍ଜୟ ସିଂ ଯାଦବ ଘରେ ମଧ୍ୟ ରେଡ କରୁଛି ସିବିଆଇ ଟିମ୍ । ତେବେ ଗତ ଜାନୁଆରୀ ୨୩ ତାରିଖରେ ଭୁବନେଶ୍ୱରର ସମାଜ ଆଇନାର ମାଲିକ ମନୋଜ ସେଠଙ୍କୁ ଏକ ଠକେଇ ମାମଲାରେ ଗିରଫ କରିଥିଲା ଦିଲ୍ଲୀ ପୋଲିସର ଇଓଡବ୍ଲୁ(EOW) ।
ସେହିପରି ତାଙ୍କୁ ଜେରାବେଳେ ମନୋଜ ୧୬୧ ଷ୍ଟେଟମେଣ୍ଟରେ ସେ ଭୁବନେଶ୍ୱରର ଉଦୟ କୁମାର ସିଂ ନାଁ ନେଇଥିଲେ । ଏନେଇ ଉଦୟଙ୍କୁ ଦିଲ୍ଲୀ ପୋଲିସ ସମନ କରିଥିଲା, ଏହାପରେ ସେ ନିଜର ତଥ୍ୟ ପ୍ରମାଣ ରଖିଥିଲେ । ହେଲେ ଗତ ମାର୍ଚ୍ଚ ୨୮ରେ ମନୋଜ ସେଠର ଠକେଇ ମାମଲାର ଚାର୍ଜସିଟ ଦାଖଲ କରିଥିଲା ଦିଲ୍ଲୀ ପୋଲିସର ଇଓଡବ୍ଲୁ(EOW) ।
ଅନ୍ୟପଟେ ଚାର୍ଜସିଟରେ ଉଦୟ କୁମାର ସିଂଙ୍କ ନାଁ ସାକ୍ଷୀ ଭାବେ ଉଲ୍ଲେଖ ରହିଥିଲା । ତେବେ ସାକ୍ଷୀ ତାଲିକାରୁ ନାଁ ହଟାଇବାକୁ ଇଓଡବ୍ଲୁ(EOW) ଇନସ୍ପେକ୍ଟର ସଞ୍ଜୟ ସିଂ ଯାଦବ ଲାଞ୍ଚ ମାଗିଥିଲେ । ସାଢେ ଚାରିଲକ୍ଷ ଲାଞ୍ଚ ନେବା ପାଇଁ ଜଣେ କନଷ୍ଟେବଳ ଅମିତ ଲାହୁଚାକୁ ଦିଲ୍ଲୀରୁ ଭୁବନେଶ୍ବର ପଠାଇଥିଲେ । ଟଙ୍କା ଦେବା ପୂର୍ବରୁ ସିବିଆଇକୁ ଖବର ଦେଇଥିଲେ ଅଭିଯୋଗକାରୀ ଉଦୟ କୁମାର ସିଂ ।
ଭୁବନେଶ୍ବର ତାପସ କୁୁମାର ପରିଡା, ଇଟିଭି ଭାରତ