ଭୁବନେଶ୍ବର: ଜାଲ ପ୍ରମାଣପତ୍ର ଓ ଜାଲ ମାର୍କସିଟ ଦେଇ ପିଲାଙ୍କୁ ପାଠ ପଢାଉଛନ୍ତି ଜାଲ ଶିକ୍ଷକ । 2011ରୁ ନିଯୁକ୍ତି ପାଇଥିବା ଶିକ୍ଷକଙ୍କ ମଧ୍ୟରେ 20 ଜଣ ପ୍ରାଥମିକ ଶିକ୍ଷକ ଓ ଶିକ୍ଷୟିତ୍ରୀ ଜାଲ୍ ସାର୍ଟିଫିକେଟ ଦେଇ ଧରାପଡିଛନ୍ତି । ତାଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ ହୋଇଛି ବୋଲି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ପ୍ରଶ୍ନର ଲିଖିତ ଉତ୍ତରରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଏହି ସୂଚନା ଦେଇଛନ୍ତି ।
ଏ ସମ୍ପର୍କିତ ଖବର ମିଳିବା ପରେ ଗତ ଜୁନ ମାସରେ ସବୁ ଜିଲ୍ଲା ଅଧିକାରୀଙ୍କୁ ସାର୍ଟିଫିକେଟ ଓ ମାର୍କସିଟ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ 20 ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ ହୋଇଛି । ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ବି ହୋଇଛି । ସେମାନେ ନେଇଥିବା ବେତନ ଓ ଭତ୍ତା ଅସୁଲ କରାଯିବା ପ୍ରସଙ୍ଗ ଫୌଜଦାରୀ ମକଦ୍ଦମା ଓ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନର ସଫଳତା ଉପରେ ନିର୍ଭର କରେ ବୋଲି ମନ୍ତ୍ରୀ କହିଛନ୍ତି ।
ଏଥିସହିତ 112 ଜଣ ଚୁକ୍ତିଭିତ୍ତିକ କନିଷ୍ଠ ଶିକ୍ଷକ ଓ କନିଷ୍ଠ ଶିକ୍ଷକ ଜାଲ ସାର୍ଟିଫିକେଟ ପ୍ରଦାନ କରିଥିବା ଚିହ୍ନଟ କରାଯାଇଛି । ସେମାନଙ୍କ ବିରୁଦ୍ଧରେ ତଦନ୍ତ ପ୍ରକ୍ରିୟା ଜାରି ରହିଛି ବୋଲି ବିଭାଗୀୟ ମନ୍ତ୍ରୀ ସୂଚନା ଦେଇଛନ୍ତି ।
ଭୁବନେଶ୍ବରରୁ ଅଜିତ ଦାଶ, ଇଟିଭି ଭାରତ